ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ ହେବେ ଶିକ୍ଷକ : ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର , (ୱାଇଏନ୍‌ଏସ୍‌): ‘୫-‘ଟି’ ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) କାର୍ଯ୍ୟାଳ ୟଠାରେ ଭର୍ଚୁଆଲ ୍ ମୋଡ୍ ରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ୫୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷକମାନଙ୍କୁ ଡିଜିଟାଲ ତଥା ସ୍ମାର୍ଟବୋର୍ଡ ମାଧ୍ୟମରେ କିଭଳି ଶିକ୍ଷାଦାନ କରିବେ ସେ ନେଇ ଅବଗତ କରାଯାଇଥିଲା । ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀ ସାହୁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବହାର କରି ଉତମ ମାନର ଶିକ୍ଷାଦାନ ଲାଗି ଆହ୍ୱାନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେବା ଉଚିତ ବୋଲି ସେ କହିବା ସହ ସ୍ମାର୍ଟ କ୍ଲାସ୍ ‘ବ୍ଲେଣ୍ଡେଡ୍ ଲର୍ଣ୍ଣିଂ’ର ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ‘୫-‘ଟି’ ହାଇସ୍କୁଲ୍ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ବିଦ୍ୟାଳୟର ପାସ୍ ହାର ଯେପରି ଶତ ପ୍ରତିଶତ ରହିବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ‘ଏ୧’ ଗ୍ରେଡ୍ ରେ କୃତକାର୍ଯ୍ୟ ହେବେ ତାହା ଉପରେ ଗୁରୁତ୍ୱ ଦେବାକୁ ପ୍ରମୁଖ ସଚିବ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକଙ୍କୁ ଡିଜିଟାଲ ଟେକ୍ନୋଲୋଜିରେ ଦକ୍ଷ କରିବା ଆମ ଲକ୍ଷ୍ୟ । ଆଗାମୀ ଦିନରେ ନିରନ୍ତର ଭାବରେ ପର୍ଯ୍ୟାୟକ୍ରମେ ସମସ୍ତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ପାଠ୍ୟଖସଡ଼ା ଅନୁଯାୟୀ ସ୍ମାର୍ଟବୋର୍ଡରେ ପାଠ ପଢାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ନିରନ୍ତର ପାଠ୍ୟକ୍ରମ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଉପଲବ୍ଧ ଇ-କେଂଟଂଟ ଗୁଡ଼ିକ ପର୍ଯ୍ୟାୟ କ୍ରମେ ବ୍ୟବହାର କରାଯିବ ଏବଂ ଶିକ୍ଷକମାନେ ନିଜେ ଯେପରି କେଂଟଂଟ ପ୍ରସ୍ତୁତ କରିପାରିବେ ସେଥିଲାଗି ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ଏହି ଅବସରରେ ବିଭିନ୍ନ ବିଷୟର ପ୍ରଶିକ୍ଷକମାନେ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀଦିନରେ ଅନ୍ୟ ବିଦ୍ୟାଳୟଗୁଡିକର ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ