ସୋମବାର ସୁପ୍ରିମ୍ କୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଂଚଳରେ ବାୟୁ ପ୍ରଦୂଷଣ ସ୍ଥିତି ଆଜି ମଧ୍ୟ “ଅତି ଖରାପ’ ରହିଛି । ଅଧିକାଂଶ ଅଂଚଳରେ ପିଏମ୍ ୨.୫ ସ୍ତର ୫୦୦ ଉପରେ ରହିଥିବାରୁ ଏହି ବିପଜ୍ଜନକ ସ୍ଥିତିର ମୁକାବିଲା ପାଇଁ ଗତକାଲିଠାରୁ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଜାରି ହୋଇଛି । ଆଜି ସକାଳେ ଦିଲ୍ଲୀର ଅଧିକାଂଶ ଅଂଚଳରେ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା । ନିର୍ମାଣ କାର୍ଯ୍ୟ ଉପରେ ସଂପୂର୍ଣ୍ଣ କଟକଣା ଜାରି ରହିଥିବା ବେଳେ ଲୋକଙ୍କୁ ଯଥା ସମ୍ଭବ କମ୍ ଘରୁ ବାହାରିବାକୁ କୁହାଯାଇଛି । ଆସନ୍ତକାଲିଠାରୁ ଘଣ୍ଟା ପ୍ରତି ୨୦ରୁ ୨୫ କିମି ମଧ୍ୟରେ ପବନର ବେଗ ରହିବ ଏବଂ ଏହାଦ୍ୱାରା ପ୍ରଦୂଷଣ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ବିଭିନ୍ନ ମାମଲା ଉପରେ ସୁପ୍ରିମ୍କୋର୍ଟ ଆସନ୍ତା ସୋମବାର ଦିନ ଶୁଣାଣି କରିବେ । ଇପିଏସି ପ୍ୟାନେଲର ରିପୋର୍ଟ ଆଧାରରେ ଏହି ଶୁଣାଣି ହେବ ।