ଏକ ଅନନ୍ୟ ପରମ୍ପରା ରଥାରୂଢ଼ ହେବାକୁ ପାଲିଙ୍କିରେ ଆସିଲେ ଶ୍ରୀ ଗୁରୁଦେବ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଭକ୍ତିମୟ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ନିକଟସ୍ଥ ପ୍ରାଚୀ ଉପତ୍ୟକାର ବନ୍ଦେଶ୍ୱର ଗ୍ରାମ ଠାରେ ପୂଜା ପାଇ ଆସୁଥିବା ଶ୍ରୀ ଗୁରୁଦେବ ଠାକୁରଙ୍କ ରଥଯାତ୍ରା ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା। ବନ୍ଦେଶ୍ୱର ଗାଁ ଠାରୁ ପ୍ରାୟ ୪/୫ କିମି ଦୂର ରେ ଥିବା ତୁଳସୀପୁର ବ୍ରାହ୍ମଣ ଶାସନ ରେ ଆଜକୁ ୧୦୦ ଶହ ରୁ ଉର୍ଦ୍ଧ୍ୱ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଏହି ଗାଁରେ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରାରେ ବନ୍ଦେଶ୍ୱର ଗ୍ରାମର ଶ୍ରୀ ଗୁରୁଦେବ ଠାକୁର ରଥାରୁଢ଼ ହୋଇଥାନ୍ତି। ତୁଳସୀପୁର ବ୍ରାହ୍ମଣ ଶାସନ ର ଅବନିନ୍ଦ୍ର ତ୍ରିପାଠୀ, ସନ୍ତୋଷ କୁମାର ତ୍ରିପାଠୀ, ସୁରଜ କୁମାର ତ୍ରିପାଠୀ, ବିଶ୍ୱଜିତ ତ୍ରିପାଠୀ, ରଜନୀକାନ୍ତ ତ୍ରିପାଠୀ, ସନ୍ତୋଷ ଦାଶ, କ୍ଷମାନିଧି ତ୍ରିପାଠୀ, ଦୁର୍ଗା ପ୍ରସାଦ ମିଶ୍ର ପ୍ରମୁଖ ଗ୍ରାମବାସୀ ମାନେ ପ୍ରାତଃରୁ ଯାଇ ପହଞ୍ଚିଥିଲେ ବନ୍ଦେଶ୍ୱର ଗ୍ରାମରେ। ଶ୍ରୀ ଗୁରୁଦେବ ଠାକୁରଙ୍କୁ ସ୍ନାନ, ମାର୍ଜଣା କରାଯିବା ପରେ ଗ୍ରାମବାସୀ ମାନେ ନେଇଥିବା ନବବସ୍ତ୍ର, ପାଟ, ପୁଷ୍ପ ଅଳଙ୍କାର ଲାଗି କରାଯାଇଥିଲା। ଠାକୁରଙ୍କ ପାଖରେ ବାଳ ଭୋଗ ଲାଗି ହେବା ପରେ ଗୀତା ପାଠ ଅନୁଷ୍ଠିତ ହୋଇଥିଲା।ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଭୋଗ ଲାଗି ହେବା ପରେ ଏକ ସୁ ସଜ୍ଜିତ ପାଲିଙ୍କି ରେ ଗ୍ରାମବାସୀ ମାନେ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ଉପବେଶନ କରାଇ ଏକ ଶୋଭାଯାତ୍ରା ରେ ନିଜ ଗାଁ ତୁଳସୀପୁର କୁ ନେଇଥିଲେ। ଗାଁ ରେ ପୂର୍ବରୁ ନିର୍ମିତ ଓ ସଜ୍ଜିତ ରଥରେ ଶ୍ରୀ ଗୁରୁଦେବ ଠାକୁର ଙ୍କୁ ରଥାରୂଢ଼ କରାଯାଇଥିଲା। ଡାହୁକ ରଘୁନାଥ ବେହେରା ରଥ କୁ ଉଠି ବୋଲି ଡାକିବା ପରେ ରଥଟଣା ହୋଇଥିଲା। ଡାହୁକ ଙ୍କ ବୋଲି ରେ ରଥ ଆଗକୁ ଗଡିଥିଲା। ଠାକୁର ଘର ଘର ଭୋଗ ଖାଇ ସଂଧ୍ୟା ରେ ଗୁଣ୍ଡିଚା ମନ୍ଦିର ଭାବେ ପରିଚିତ କନକ ଦୂର୍ଗା ମନ୍ଦିର ଠାରେ ପହଞ୍ଚି ଥିଲେ। ଶେଷ ହୋଇଥିଲା ଶ୍ରୀ ଗୁରୁଦେବ ଠାକୁର ଙ୍କ ଅନନ୍ୟ ନିଆରା ରଥଯାତ୍ରା। ଏହି ନିଆରା ରଥଯାତ୍ରା ଦେଖିବାକୁ ଗାଁ ରେ ବହୁ ଜନ ସମାଗମ ହୋଇଥିଲା।
ଚାରିଛକ ଥାନା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


