‘ନିସାନ’ ସହାୟତାରେ ଜିଲ୍ଲା ପ୍ରଶାସନର ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କର ଅନାଥ ଶିଶୁ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଗଜପତି ଜିଲ୍ଲାର ୭ ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି । ସେମାନଙ୍କ ମଧ୍ୟରୁ କେବଳ ଦୁଇଗୋଟି ଅନୁଷ୍ଠାନକୁ ସରକାରଙ୍କ ସହାୟକ ଅନୁଦାନ ମିଳେ । ଅନ୍ୟ ୫ଗୋଟି ଅନୁଷ୍ଠାନ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ମାନଙ୍କ ଠାରୁ ଦାନ ଗ୍ରହଣ କରି ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷାକୁ ସୁନିଶ୍ଚିତ କରନ୍ତି । ଏହିଭଳି ଦୁଇଟି ଅନୁଷ୍ଠାନ ଯଥା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏସ୍.ଉରୁଡା ବିବେକାନନ୍ଦ ରେସିଡେନସିଆଲ୍ ସ୍କୁଲ, ଏବଂ ବି.ସୀତାପୁରର ‘ପ୍ରାଉଡ’ର ପ୍ରାୟ ୫୦ ଅନାଥ ଶିଶୁମାନଙ୍କୁ ଏକ ମାସର ରାସନ ସାମଗ୍ରୀ ଜିଲ୍ଲାପାଳ ବଣ୍ଟନ କରିଛନ୍ତି । ଏହି ରାସନ ସାମଗ୍ରୀ ଗଜପତି ଜିଲ୍ଲା ଗୁମ୍ମାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିସାନ’ ସହାୟତାରେ ଯୋଗାଇ ଦିଆଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ‘ନିସାନର’ ସମ୍ପାଦିକା ସଂଜୁପ୍ରଭା ପାଣି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ ।


