ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ
ପୁରୀ, (ୱାଇଏନ୍ଏସ୍): ସେବାୟତ ଓ ସହରବାସୀଙ୍କ ଦର୍ଶନ ପରେ ଆଜିଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ । ଏଥି ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ନିମନ୍ତେ ଆସିଥିବା ଭକ୍ତ ସାଙ୍ଗରେ ପରିଚୟ ପତ୍ର ଆଣିବେ । ଦୁଇ ଡ଼ୋଜ୍ କରୋନା ଟୀକା ନେଇଥିବେ, ନଚେତ୍ ୯୬ ଘଂଟା ପୂର୍ବର କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ୮ଟି ସ୍ଥାନରେ କିଓସ୍କୋରେ ଯାଂଚ୍ ବ୍ୟବସ୍ଥା କରାଯାଇଛି । ଭକ୍ତ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ଭକ୍ତ ମାନେ ସିଂହଦ୍ୱାରରେ ପ୍ରବେଶ କରି ଉତର ଦ୍ୱାରରେ ପ୍ରସ୍ଥାନ କରିବେ । ସେହିପରି ଅମାନିଆଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।