ବରିଷ୍ଠ ନାଗରିକ ମଞ୍ଚ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ ବୁଧବାର ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରା ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସାମ୍ପ୍ରତିକ ସ୍ଥିତିରେ ବରିଷ୍ଠ ନାଗରିକଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱରରେ ଅସହାୟ ବରିଷ୍ଠ ନାଗରିକଙ୍କ ଥଇଥାନ ଓ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠାପାଇଁ ୨୦ ଏକର ପରିମିତ ଜମି ଚିହ୍ନଟ କରାଯାଇ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାରମ୍ଭ ନହେବାକୁ ନେଇ ବୈଠକରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନକୁ ଆବେଦନ ନିବେଦନ କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ସେହିପରି ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେବାପରେ ଜରାରୋଗ ପାଇଁ ସ୍ୱତନ୍ତ୍ର ୱାର୍ଡ଼ ନାହିଁ ଏବଂ ହୃଦରୋଗ ବିଶେଷଜ୍ଞ ନଥିବାରୁ କଟକ ଭୁବନେଶ୍ୱର ଚିକିତ୍ସା ପାଇଁ ସ୍ଥାନାନ୍ତର ହେବାବେଳେ ବହୁ ହୃଦ୍‌ରୋଗୀ ମୃତ୍ୟୁବରଣ କରୁଥିବା ଉପସ୍ଥିତ ସଭ୍ୟମାନେ କହିଥିଲେ । ଅନ୍ୟପକ୍ଷରେ ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠା ଦାବି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ତୁରନ୍ତ ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ନିର୍ବାଚିତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଅଯାଇଥିଲା । ଏଥି ସହିତ ମଞ୍ଚର ବାର୍ଷିକ ଅଧିବେଶନ ଆସନ୍ତା ଅକ୍ଟୋବର ମାସ ଦଶ ତାରିଖ ଦିନ ବାଲେଶ୍ୱରରେ ସହରରେ ଆୟୋଜନ କରିବା ଓ ଏଥିରେ ମଞ୍ଚର ମୁଖପତ୍ର ଉନ୍ମୋଚନ ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ଆଲୋଚନା କରିଥିଲେ । ୌହିଭଳି ବାଲେଶ୍ୱର ଜୀବନରେଖା କୁହାଯାଉଥିବା ରାଜ୍ୟର ପ୍ରଥମ ଉଡ଼ନ୍ତା ପୋଲର ତୁରନ୍ତ ମରାମତି ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟ ଚଳିତ ସପ୍ତାହରେ ଦେଇଥିବା ଆଦେଶକୁ ମଞ୍ଚ ପକ୍ଷରରୁ ସ୍ୱାଗତ କରାଯାଇଥିଲା । ବିଷ୍ଣୁପ୍ରସାଦ ମହାନ୍ତି, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ଘୋଷ, ସନ୍ତୋଷ ସାହୁ ପ୍ରମୁଖ ଏହି ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସହ-ସମ୍ପାଦକ ମଧୁସୂଦନ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ