ଶାସ୍ତ୍ର କହେ – ମଳମାସ ମଳ ନୁହେଁ

କିଛି ବ୍ୟକ୍ତିବିଶେଷ ମଳମାସର ମହତ୍ତ୍ଵ ବିଷୟରେ ଅଜ୍ଞହେତୁ, ଏହାକୁ ନିଷ୍ଫଳ ମାସ ବୋଲି କହିଥାନ୍ତି। ପରନ୍ତୁ ଶାସ୍ତ୍ର ମତରେ ଏହା ହେଉଛି ସର୍ବଶ୍ରେଷ୍ଠ ପୁରୁଷୋତ୍ତମ ମାସ। ଜ୍ୟୋତିଷ ଶାସ୍ତ୍ରର ପଞ୍ଚାଙ୍ଗ ଗଣନା ଅନୁସାରେ ପ୍ରତି ୩ ବର୍ଷକୁ ଥରେ ଅର୍ଥାତ୍ ୩୨ ମାସ ୧୬ ଦିନ ଏବଂ ୮ ଘଡ଼ି ବ୍ୟବଧାନରେ ଏହି ମାସର ଆଗମନ ହୋଇଥାଏ। ଚନ୍ଦ୍ରମାନ ଓ ସୌରମାନ ବର୍ଷ ମଧ୍ୟରେ ଥିବା ୧୧ ଦିନର ପାର୍ଥକ୍ୟକୁ ସନ୍ତୁଳିତ କରିବା ପାଇଁ ଏହି ଅତିରିକ୍ତ ମାସର ସୃଷ୍ଟି ହୋଇଛି। ଏହି ମାସକୁ ଭିନ୍ନ ଭିନ୍ନ ନାମରେ ମଧ୍ୟ ନାମକରଣ କରାଯାଇଛି। ଯଥା: ଅଧିକ ମାସ, ମଳ ମାସ, ପୁରୁଷୋତ୍ତମ ମାସ ଓ ମଳନାରାୟଣ ମାସ। ବୈଷ୍ଣବ ମତବାଦ ଅନୁଯାୟୀ ଭଗବାନ ବିଷ୍ଣୁ ବର୍ଷ (ସମ୍ବତ୍ସର)ର ବାରମାସରେ, ସେ ଏକ ଏକ ମାସର ଅଧିପତି ଭାବେ ପୂଜିତ ହୋଇଥାନ୍ତି। ଯେପରି ବୈଶାଖରେ ମଧୁସୂଦନ, ଜ୍ୟେଷ୍ଠରେ ତ୍ରିବିକ୍ରମ, ଆଷାଢ଼ରେ ବାମନ, ଶ୍ରାବଣରେ ଶ୍ରୀଧର, ଭାଦ୍ରବରେ ହୃଷିକେଶ, ଆଶ୍ୱିନରେ ପଦ୍ମନାଭ ,କାର୍ତ୍ତିକରେ ଦାମୋଦର, ମାର୍ଗଶୀରରେ କେଶବ, ପୌଷରେ ନାରାୟଣ, ମାଘରେ ମାଧବ, ଫାଲଗୁନରେ ଗୋବିନ୍ଦ ଓ ଚୈତ୍ରରେ ବିଷ୍ଣୁରୂପରେ। ପରନ୍ତୁ ପୂର୍ବରୁ କେହି ଅଧିମାସର ଅଧିପତି ନଥିଲେ। ଏହି କାରଣରୁ ଏହାକୁ ନିନ୍ଦିତ କରାଯାଉଥିଲା। କାରଣ ଉକ୍ତ ମାସରେ ସଂକ୍ରାନ୍ତି ନଥାଏ କିମ୍ୱା ମାଙ୍ଗଳିକ ଉତ୍ସବ ପାଳନ ହୁଏନାହିଁ।

ପୌରାଣିକ ଓ ଆଧ୍ୟାତ୍ମିକ ମତ ଅନୁଯାୟୀ ଏହି ପୁରୁଷୋତ୍ତମ ମାସର ମହତ୍ତ୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯା’ର ଦୃଷ୍ଟାନ୍ତ ଆଧ୍ୟାତ୍ମିକ ଶାସ୍ତ୍ରାଦି ଓ ମଳମାସ ମାହାତ୍ମ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି। ଦିନେ ମହାରାଜ ଯୁଧିଷ୍ଠିର, ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ହେ ବାସୁଦେବ ! ଏହି ମାସର ମହତ୍ତ୍ବ କ’ଣ ଏବଂ କାହିଁକି ଏ ମାସକୁ ପୁରୁଷୋତ୍ତମ ମାସ କୁହଯାଏ? ଏହାର ଉତ୍ତରରେ ଭଗବାନ କହିଥିଲେ ହେ ଅଗ୍ରଜ ପାଣ୍ଡବ! ଏହି ମାସ ବିଷୟରେ ମୋ’ ବ୍ୟତୀତ କେହି କହିପାରିବେ ନାହିଁ। ଯାହା ଏବେ ମୁଁ ତୁମକୁ ପ୍ରଥମେ କହୁଛି। ଦିନେ ଏହି ମଳମାସ ମୋ ଲୋକକୁ ଆସି ଅତି ଦୁଃଖରେ କହିଥିଲା ହେ ଭଗବାନ ବିଷ୍ଣୁ ! ତୁମେ ହିଁ ପ୍ରତ୍ୟେକ ମାସର ଅଧିପତି ରୂପେ ରହିଛ ଏଵଂ ତୁମ ପାଇଁ ବାର ଗୋଟି ମାସ ଗର୍ବ ଅନୁଭବ କରନ୍ତି କିନ୍ତୁ ମୁଁ ତୁମବିନା ସଭିଙ୍କ ପାଖରେ ଘୃଣୀତ। ଏଣୁ ମୋତେ ଦୟାକର, ଯାହା ଫଳରେ ମୁଁ ଏ ଅପବାଦରୁ ମୁକ୍ତି ପାଇ ପାରିବି। ତେଣୁ ମଳମାସର ଦୁଃଖ ହରଣ କରିବାକୁ ଯାଇ ମୁଁ (ବିଷ୍ଣୁ) ମୋର ସମସ୍ତ ଦିବ୍ୟ ଗୁଣ ପ୍ରଦାନ କରିବା ସହ କହିଥିଲି ହେ ଅଧିମାସ!, ମୁଁ ଆଜିଠାରୁ ହିଁ ତୁମର ଅଧିପତି ହେଉଛି ଏବଂ ଯିଏ ଏହି ମାସରେ ମୋର ଆରାଧନା କରିବ, ସେ ସମସ୍ତ ପାପରୁ ମୁକ୍ତି ପାଇବା ସହ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହେବ। ସେହି ଦିନଠାରୁ ଏହା ଶ୍ରେଷ୍ଠମାସ ବା ପୁରୁଷୋତ୍ତମ ମାସ ନାମରେ ପ୍ରସିଦ୍ଧି ଲାଭ କରିଲା। ସେଭଳି ଅନ୍ୟ ଏକ ପ୍ରମୁଖ ପୌରାଣିକ କଥାବସ୍ତୁ ମଧ୍ୟ ରହିଛି। ଦୈତ୍ୟରାଜ ହିରଣ୍ୟକଶିପୁ ବ୍ରହ୍ମାଙ୍କ ଠାରୁ ବର ପାଇଥିଲା ଯେ, ବର୍ଷର ୧୨ଟି ମାସ ମଧ୍ୟରୁ କୌଣସି ମାସରେ ତା’ର ମୃତ୍ୟୁ ହେବନାହିଁ। ତେଣୁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଧାରଣ କରି ଏହି ୧୩ତମ ମାସ ବା ଅଧିମାସରେ ହିରଣ୍ୟକଶିପୁକୁ ବଧ କରିଥିଲେ। ଯାହାଫଳରେ ବ୍ରହ୍ମାଙ୍କ ବର ରକ୍ଷା ହେବା ସହ ଅଧର୍ମର ବିନାଶ ମଧ୍ୟ ହୋଇଥିଲା। ସେ’ପରି ଏ ମାସର ମହିମା ସର୍ବୋପରି ବୋଲି ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଦେଖିବାକୁ ମିଳେ। ଯାହା ପବିତ୍ର ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ମାସ ମାନଙ୍କର ପୁଣ୍ୟ ଅପେକ୍ଷା ପୁରୁଷୋତ୍ତମ ମାସରେ କରାଯାଉଥିବା ଧର୍ମକୃତ୍ୟର ଫଳ କୋଟି ଗୁଣ ଅଧିକ ହୋଇଥାଏ। ଏହି ମାସରେ ସ୍ୱଳ୍ପ ସାଧନା କଲେ ମଧ୍ୟ ଭଗବାନ ବିଷ୍ଣୁ ଅତିଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଯେଉଁମାନେ ଏହି ମାସରେ ଶ୍ରୀକ୍ଷେତ୍ର ଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ମହୋଦଧିରେ ସ୍ନାନ କରନ୍ତି, ସେହିମାନେ ସମସ୍ତ ପ୍ରକାରର ପାପ, ତାପ ଓ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇ ମୋକ୍ଷ ଲାଭ କରିଥାନ୍ତି।

ଆମ ଓଡ଼ିଆ ସଂସ୍କୃତିର ପରମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ହେଉଛନ୍ତି ସାକ୍ଷାତ ପୁରୁଷୋତ୍ତମ। ତେଣୁ ଏହି ପୁରୁଷୋତ୍ତମ ମାସର ଗୁରୁତ୍ୱ ସମଗ୍ର ଭାରତ ଅପେକ୍ଷା ଏଠାରେ ଅଧିକ ପରିଲକ୍ଷିତ ହୁଏ। ଉକ୍ତ ମାସରେ ଶ୍ରୀମନ୍ଦିର ମଧ୍ୟରେ ମହାପ୍ରଭୁଙ୍କର ବିଶେଷ ପୂଜାର୍ଚ୍ଚନା ଏବଂ ଭୋଗ ଲାଗି ହୋଇଥାଏ। ତା’ସହିତ ଦକ୍ଷିଣ ଦ୍ୱାର ଭିତର ବେଢ଼ାର କଳ୍ପବଟ ମୂଳଠାରେ ଅବସ୍ଥିତ ମା’ ମଙ୍ଗଳାଙ୍କର ସମ୍ମୁଖ ଭାଗରେ ମଳମାସ ବା ପୁରୁଷୋତ୍ତମ ଠାକୁରଙ୍କ ମନ୍ଦିର ରହିଛି। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁଯାୟୀ ଏହାକୁ ‘ବରାହନାରାୟଣ ମନ୍ଦିର’ କୁହାଯାଏ। କିନ୍ତୁ ଲୋକଙ୍କ ମୁଖରେ ଏହାକୁ ଶ୍ରୀପୁରୁଷୋତ୍ତମ ମନ୍ଦିର ବା ଶ୍ରୀମଳମାସ ନାରାୟଣ ମନ୍ଦିର ଭାବରେ ପରିଚିତ। ଏଠାରେ ଏକମାସ ବ୍ୟାପୀ ଅନେକ ଶ୍ରଦ୍ଧାଳୁ ପୂଜା ଓ ଏକବେଳା ସାତ୍ତ୍ଵିକ ହଭିଷାନ୍ନ ଭୋଜନ କରି ବ୍ରତ ପାଳନ କରିଥାନ୍ତି।

ଆମେ ଆଧୁନିକ ଜୀବନଶୈଳୀ ପାଇଁ ଏବଂ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏତେ ଲିପ୍ତ ରହୁ ଯେ, ଈଶ୍ୱରଙ୍କୁ ସ୍ମରଣ କରିବାଲାଗି ଆମ ପାଖରେ ସମୟ ନଥାଏ। କିନ୍ତୁ ଏ ମଳମାସ ଆମକୁ ସେହି ସୁଯୋଗ ଦେଇଥାଏ। ଏହି ମାସର ବିଶେଷତ୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଶ୍ରେୟସ୍କର। କାରଣ ଆମେ ଉପବାସ କରିବା ଦ୍ୱାରା ଶରୀରର ପାଚନତନ୍ତ୍ର ବିଶ୍ରାମ ପାଇଥାଏ, ଯାହା ଶାରୀରିକ ଶୁଦ୍ଧିରେ ସହାୟକ ହୋଇଥାଏ। ଏହା ସହିତ ମନ୍ତ୍ର ଜପ ଏବଂ ଧ୍ୟାନ କରିବା ଦ୍ୱାରା ମାନସିକ ଚାପ ମଧ୍ୟ ଦୂରେଇଯାଏ। ସଂକ୍ଷେପରେ କହିବାକୁ ଗଲେ,ଏହି ମାସର ମହତ୍ତ୍ୱ କେବଳ ପୂଜା ପାଠ କିମ୍ବା ବ୍ରତରେ ସୀମିତ ନୁହେଁ, ବରଂ ମାନବିକ ଗୁଣ ଯଥା: ଦୟା, କ୍ଷମା, ପରୋପକାର ଏବଂ ସତ୍ୟ ମାର୍ଗରେ ଚାଲିବାର ଏକ ମହାନ ବାର୍ତ୍ତା। ମଳମାସ ହେଉଛି ଆଧ୍ୟାତ୍ମିକ ଉନ୍ନତି ଏବଂ ମନୋବାଞ୍ଛିତ ଫଳ ପ୍ରାପ୍ତିର ଏକ ସୁବର୍ଣ୍ଣ ସୁଯୋଗ। ଯଦିଓ ଏହି ମାସରେ କୌଣସି ଭୌତିକ ବା ସାଂସାରିକ ଶୁଭ କାର୍ଯ୍ୟ କରାଯାଏ ନାହିଁ, ତଥାପି ଆଧ୍ୟାତ୍ମିକ ଦୃଷ୍ଟିରୁ ଏହାକୁ ବର୍ଷର ସର୍ବଶ୍ରେଷ୍ଠ ଶୁଭ ଏବଂ ପବିତ୍ର ମାସ ଭାବରେ ଗ୍ରହଣ କରାଯାଇଛି। ତେଣୁ ପ୍ରତ୍ୟେକ ମନୁଷ୍ୟ ଏହି ପବିତ୍ର ମାସର ସଦ୍‌ ବ୍ୟବହାର କରି ନିଜର ଜୀବନକୁ ସାର୍ଥକ କରିବା ଉଚିତ।

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଦର୍ଶନ ଅଧ୍ୟାପକ, ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ