ସୁନାମୀ ବିପର୍ଯ୍ୟୟର ମୁକାବଲା ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ପକ୍ଷରେ ସମ୍ଭାବ୍ୟ ସୁନାମୀ ମୁକାବିଲା ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ଶିବିରରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀନାରାୟଣ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାରଣା ସୁନାମୀ କ’ଣ ଓ ଏହାର ଭୟାବହତା ଏବଂ ଏଥିରୁ କିଭଳି ଜୀବନ ବଞ୍ଚାଇ ହେବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀ ସୁନାମୀ ବିପର୍ଯ୍ୟୟ ହ୍ରାସ ଓ ପ୍ରଶମନ ପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ପ୍ରଶିକ୍ଷାର୍ଥୀ ଶିକ୍ଷକମାନଙ୍କୁ ସୁନାମୀ ସମୟରେ ସେମାନଙ୍କ ଅଭିମୁଖ୍ୟ କ’ଣ ରହିବା ଉଚିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଜୟ କୁମାର ମହାନ୍ତି, ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ସିଭିଲ ଡିଫେନ୍ସର ମାଷ୍ଟର ଟ୍ରେନରମାନେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସୁନାମୀ ସଚେତନତା, ସତର୍କତା, ସୁରକ୍ଷା ପାଇଁ ପଦକ୍ଷେପ ଓ କୈାଶଳ ପ୍ରଭୃତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକର ସୁନାମୀ ପ୍ରବଣ ୬୧ଟି ଗ୍ରାମରେ ଥିବା ୯୭ଟି ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସୁନାମୀ ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେବାସହ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି ।


