ଦୁବାଇରେ ଚାକିରି ଲାଳସା ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅନଲାଇନରେ ଟଙ୍କା ଠକେଇ ନେଲେ ସାଇବର ଦଲାଲ୍

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତର ଝରିପଦର ଗ୍ରାମର ୮ ଜଣ ଯୁବକଙ୍କୁ ସୁଦୂର ଦୁବାଇରେ ଚାକିରି କରାଇବା ଲାଳସା ଦେଖାଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ନେବାରେ ସକ୍ଷମ ହୋଇପାରିଛନ୍ତି ସାଇବର ଦଲାଲ୍ । ଏନେଇ ସେମାନେ ସାଇବର ଠକାମୀର ଶିକାର ହୋଇଥିବା ଜାଣିବା ପରେ ଶନିବାର ଦିନ ଦିଗପହଣ୍ଡି ଥାନାର ଦ୍ବାରସ୍ଥ ହୋଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଏକ ଏତଲା ଦେଇଥିଲେ । ବିଭିନ୍ନ ସମୟରେ ସହର ମାନଙ୍କରେ ସାଇବର ଠକ ମାନେ ନୀରିହ ଲୋକମାନଙ୍କୁ ମିଛ ଜାଲରେ ବଶବର୍ତ୍ତୀ କରାଇ ଟଙ୍କା ଲୁଟି ନେଉଥିବା ନଜର ଆସୁଥିବା ବେଳେ ପୋଲିସ ସଦାସର୍ବଦା ଏଭଳି ସାଇବର ଠକାମୀ ଠାରୁ ଦୂରେଇ ରହିବା ପାଇଁ ସଚେତନ ମଧ୍ୟ କରାଉଥିବା ଜଣାପଡିଛି । କିନ୍ତୁ ଏହି ସାଇବର ଠକ ମାନେ ବର୍ତ୍ତମାନ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ମିଛ ଜାଲ ବିଛାଇ ଦୀନ ମଜୁରିଆ ତଥା ଖଟିଖିଆ ଯୁବକ ମାନଙ୍କୁ ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗତ ଜୁଲାଇ ୧୪ ତାରିଖରେ ସାଇବର ଠକ ରାଜେଶ କୁମାର ଯାଦବ ଓ ରମେଶ ଗାତୁ ନାମକ ଦୁଇ ଦଲାଲ୍ ନିଜ ଫୋନ୍ ନମ୍ବର- ୯୭୧୫୪୨୩୮୭୩୦୫୬ ଓ ୯୭୧୫୦୨୯୧୫୭୨୫ ଯୋଗେ ଝରିପଦର ଗ୍ରାମର କେଦାରନାଥ ଗୈାଡ ନାମକ ଜଣେ ଯୁବକକୁ ଫୋନ୍ କରି ଦୁବାଇରେ ଚାକିରି କରାଇଦେବା ପାଇଁ ମିଛ ଲାଳସା ଦେଖାଇଥିଲେ ଏବଂ ଭାରତୀୟ ମୁଦ୍ରା ହିସାବରେ ମାସିକ ଦରମା ୩୩ ହଜାର ୫ ଶହ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଯୁବକଙ୍କ ମନରେ ଯେଭଳି ସନ୍ଦେହ ଜାତ ନ ହେବ ସେଥିନେଇ ନିଜର ଆଇଡି ପ୍ରମାଣ , କମ୍ପାନୀ ଠିକଣା ଓ ନିଜର ଆଧାର କାର୍ଡ ହ୍ବାଟସପ ମାଧ୍ୟମରେ ପଠାଇଥିଲେ । ଏଥିସହ ସାଇବର ଠକ ଜଣକ ଯୁବକଙ୍କୁ ଏ ବିଷୟରେ ତୁମ ସାଙ୍ଗମାନଙ୍କୁ ଜଣାଇବା ପାଇଁ କହିଥିଲେ । ତେବେ ଗ୍ରାମରେ କିଛି କାମଧନ୍ଦା ନପାଇ ବେକାର ହୋଇ ବସିଥିବା ୮ ଜଣ ଯୁବକ ଚାକିରି ପାଇବା ଆଶାରେ ଉକ୍ତ ଦୁଇ ଦଲାଲ୍ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ନିଜ ନିଜର ସମସ୍ତ ପ୍ରମାଣ ପତ୍ର ପଠାଇଥିଲେ । ଏହାପରେ ଦଲାଲ୍ ମାନେ ଚାକିରି ବାବଦରେ ଜଣକ ପିଛା ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଏଥିସହ ଉକ୍ତ ଟଙ୍କା ପୈଠ ପରେ ତୁମର ଭିସା , ପାସପୋର୍ଟ , ଅଫରଲେଟର ଓ ଇନସରେନ୍ସ ପଠାଯିବ ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଆଠ ଯୁବକ ପ୍ରଥମ କିସ୍ତିରେ ଜଣକ ପିଛା ୫ ହଜାର ଲେଖାଏଁ ୪୧ ହଜାର ପୁଣି ଆଙ୍ଗୁଠି ଛପା ବାବଦରେ ୪୯ ହଜାର , ଇ . ମାଇଗ୍ରେସନ ବାବଦରେ ୫୬ ହଜାର , ଭିସା ମାମଲାରେ ୧ ଲକ୍ଷ ୨୦ ହଜାର ଏବଂ ୧ ଲକ୍ଷ ୨୮ ହଜାର , ସଙ୍ଗରୋଧ କେନ୍ଦ୍ର ଖର୍ଚ୍ଚ ୮୦ ହଜାର ଏଭଳି ଅନେକ ବିଭିନ୍ନ ଆଳ ଦେଖାଇ ୮ ଯୁବକଙ୍କ ଠାରୁ ସମୁଦାୟ ୫ ଲକ୍ଷ ୧୪ ହଜାର ଟଙ୍କା ଲୁଟି ନେଇଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ନାମଥିବ ଦିନେଶ ରାମ କୁମାର ମୌରିଆଙ୍କ ଆକାଉଣ୍ଟକୁ ଟଙ୍କା ଛଡ଼ା ଯାଇଥିବା କହିଛନ୍ତି । ଏହାପରେ ସାଇବର ଠକ ମାନେ ୪ ଜଣକ ନକଲି ଭିସା , ଫ୍ଲାଇଟ ଟିକେଟ ଓ ଇନସରେନ୍ସ ପଠାଇବା ସହ ଅନ୍ୟ ୪ ଜଣକ ଭୁବନେଶ୍ବର ବିମାନ ବନ୍ଦରରେ ପହିଥିବା ପରେ ହୋଇଯିବ ବୋଲି କହିଥିଲେ । ଯାହାଫଳରେ ଚାକିରି ପାଇବା ଆଶା ରଖି ଦୁବାଇ ଯିବା ପାଇଁ ୮ ଜଣ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଭିତରକୁ ଯିବା ସମୟରେ ପୋଲିସ ସେମାନଙ୍କ ନକଲି ପାସପୋର୍ଟ ଓ ଭିସାକୁ କାବୁ କରିଥିଲା । ଏହାପରେ ୮ ଯୁବକ ଯେଉଁ ଆଶା ନେଇ ବାହାରିଥିଲେ ତାହା ସ୍ବପ୍ନରେ ରହି ଯାଇଥିବା ପ୍ରକାଶ କରିଛନ୍ତି । ଏନେଇ ଠକାମୀର ଶିକାର ହୋଇଥିବା ଯୁବକମାନେ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଏତଲା ଦେଇଥିବା ବେଳେ ଆଜି ସମାଜସେବୀ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦିଗପହଣ୍ଡି ଥାନାରେ ପହଞ୍ଚି ସାଇବର ଦଲାଲ୍ ମାନଙ୍କ ବିରୋଧରେ ଏକ ଏତଲା ଦେବାପରେ ବ୍ରହ୍ମପୁର ସାଇବର ଥାନାକୁ ଯାଇଥିବା ଜଣାପଡିଛି । ତେବେ ସମସ୍ତ ଯୁବକ ଗରିବ ଶ୍ରେଣୀର ହୋଇଥିବା ବେଳେ ଚାକିରି ନିଶାରେ ସେମାନେ ସମସ୍ତ ଟଙ୍କା କରଜ ଆଣି ଦେଇଛନ୍ତି । ତେବେ ଏଭଳି ଠକାମୀର ଶିକାର ପରେ ସେମାନେ ଆଣିଥିବା ଧାର ଟଙ୍କା କିଭଳି ଶୁଝିବେ ସେନେଇ ମୁଣ୍ଡରେ ହାତ ଦେଇ ବସିବା ସହ ପୋଲିସ ସାଇବର ଠକକୁ ତୁରନ୍ତ ଗିରଫ କରି ସେମାନଙ୍କ ଟଙ୍କା ଫେରାଇବାକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ