ଗଜପତିରେ ଆର୍ଆଇ ପଦବୀ ପାଇଁ ଲିଖିତ ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଲାଖେମୁଣ୍ଡି ଠାରେ ରାଜସ୍ୱ ନିରୀକ୍ଷକ ପଦବୀ ପାଇଁ ୯ଗୋଟି କେନ୍ଦ୍ରରେ ଆଜି ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାରେ ମୋଟ ୨୬୦୪ଜଣ ଆର୍ଆଇ ପଦବୀ ପାଇଁ ଆବେଦନ କରିଥିଲେ । ସମସ୍ତଙ୍କୁ ପରୀକ୍ଷା ଦେବା ପାଇଁ ପ୍ରବେଶପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଲିଖିତ ପରୀକ୍ଷା ପାରଳାଖେମୁଣ୍ଡି ସହରରେ ୯ଗୋଟି କେନ୍ଦ୍ର ଯଥା, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସେଞ୍ଚୁରିୟନ ପବ୍ଲିକ ସ୍କୁଲ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଆଦି ୯ଗୋଟି କେନ୍ଦ୍ରରେ ୨ଗୋଟି ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଆଜି ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ଏହି ପରୀକ୍ଷାକୁ ପରିଚାଳନା କରିବାପାଇଁ ଅଧିକ୍ଷକ ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଉପଅଧିକ୍ଷକ ଭାବେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ନିଯୁକ୍ତ ହୋଇ ତଦାରଖ କରିଥିବା ଜଣାଯାଇଛି ।


