ସରକାରୀ ଡାକ୍ତରଖାନାରେ ଶବକୁ ଅସମ୍ମାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ଡାକ୍ତରଖାନରେ ଶବକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶଯେ, ପାରଳାଖେମୁଣ୍ଡି ସହର ଠାରୁ 3 କିମି ଦୂରରେ ଥିବା କେରାଣ୍ଡି ଗ୍ରାମର ସୁବାସ ଚନ୍ଦ୍ର ବରାଡ଼ (55) ନାମକ ବ୍ୟକ୍ତି ମହେନ୍ଦ୍ରତନୟା ନଦୀରେ ବୁଡି ପ୍ରାଣ ହରାଇ ଥିଲେ. ତାଙ୍କ ଶବକୁ ନଦୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସରକାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗତକାଲି ସନ୍ଧ୍ୟା 5 ଘଣ୍ଟା ସମୟରେ ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ମିଳିତ ଭାବେ ଆଣିଥିଲେ. ହେଲେ ସନ୍ଧ୍ୟା ହୋଇଥିବାରୁ ଶବକୁ ବ୍ୟବଚ୍ଛେଦ କରାଯାଇନଥିଲା. ଜିଲ୍ଲା ଡାକ୍ତରଖାନାରେ ଶବକୁ ସଂରକ୍ଷଣ ରଖିବା ପାଇଁ ଫ୍ରିଜର ସୁବିଧା ଥାଇ ମଧ୍ୟ ମୃତଦେହକୁ ଡାକ୍ତରଖାନା ବାହାରେ ତଳେ ରଖି ମାନବିକତା ଓ ନିଜ ନିଜର ଦାୟିତ୍ୱକୁ ଭୁଲିଗଲେ ଡାକ୍ତରଖାନର ସମସ୍ତ କର୍ମଚାରୀ, ଡାକ୍ତର ଓ କର୍ତ୍ତୃପକ୍ଷ. ରାତ୍ର ସାରା ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ମୃତଦେହକୁ ଜଗି ରହିବା ପରେ ଆଜି ସକାଳେ ମୃତଦେହର ବ୍ୟବଚ୍ଛେଦ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯାଇଛି. ରାତ୍ର ସାରା ମୃତଦେହକୁ ଜଗି ରହିଥିବା ପରିବାର ସଦସ୍ୟ ଡାକ୍ତରଖାନା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ଏଭଳି ମନୋଭାବ ଓ ଦାୟିତ୍ୱହୀନତା ବିରୋଧରେ ଉଦବେଗ ପ୍ରକାଶ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି. ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ଏଭଳି ଦାୟିତ୍ୱହୀନତା କାର୍ଯ୍ୟକଳାପ ସାଧାରଣରେ ପ୍ରଚାର ହେବା ପରେ ଘଟଣାଟି ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି. ଘଟଣା ନେଇ ଆବଶ୍ୟକ ତଦନ୍ତ ଓ ବିହିତ ପ୍ରତିକାର ପାଇଁ ସର୍ବସାଧାରଣରେ ଦାବି ହୋଇଛି. ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ମଞ୍ଜୁରାଣୀ ଜେନାଙ୍କ ଦୃଷ୍ଟି ଆକାଷଣ କରି ପଚାରିବାରେ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଛନ୍ତି ଘଟଣାଟି ସତ. ଶବ ସଂରକ୍ଷଣ ପାଇଁ ରହିଥିବା ଫ୍ରିଜରଟି ଅଚଳ ହୋଇପଡି ଥିବା ଯୋଗୁଁ ଏଭଳି ଅସୁବିଧା ଘଟିଛି. ଅତି ତୁରନ୍ତ ଫ୍ରିଜରକୁ ମରାମତି କରାଯିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।


