ଧର୍ମକୁ ଆଖି ଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି । ପାରିବାରିକ ଆର୍ଥୀକ ଦୁରବସ୍ଥା ହେଉ କିମ୍ବା ଅନ୍ୟାନ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ଅନୁଷ୍ଠାନରେ ଖଟୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିଞ୍ଜିଳିକାଟୁ ଅଞ୍ଚଳରେ ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି । ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ହିଞ୍ଜିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନାଁ ନେଉନି । ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳରେ ଅଧିକାଂଶ ହୋଟେଲ, ଗ୍ୟାରେଜ୍, ତେଜରାତି ଦୋକାନ, ରେଷ୍ଟୁରାଣ୍ଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ଶିଶୁ ମାନେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ପଥାକୁ ବିଲୋପ ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉନଥିବା ଯୋଗୁଁ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେମାନଙ୍କ ହସଖେଳ ଏବଂ ପାଠପଢା ଠାରୁ ଦୂରେଇ ରହି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ କାମଧନ୍ଦା କରୁଛନ୍ତି । ସେମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହେଉଛନ୍ତି । ଶିଶୁ ଅଧିକାର ଆଇନରେ କମ୍ ବର୍ଷର ଶିଶୁ କୁ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯିବା ଏକଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି । ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳର ଅଧିକାଂଶ ହୋଟେଲ, ଗ୍ୟାରେଜ୍, ତେଜରାତି ଦୋକାନ, ରେଷ୍ଟୁରାଂଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଓ ବହୁ ବଡ଼ବଡ଼ିଆଙ୍କ ବାସଗୃହରେ ୧୨ ରୁ ୧୭ ବର୍ଷର ଶିଶୁ ମାନେ କାମ କରୁଥିବାର ଦେଖିବାକୁ ମିଳୁଛି । ଏହି ଶିଶୁ ମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ହେଉଛି ଶ୍ରମ ବିଭାଗର । ହେଲେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର ଦିଗରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରୁନଥିବାର ଦେଖିବାକୁ ମିଳୁଛି । ପ୍ରତିବର୍ଷ ପୁଲିସ ପ୍ରଶାସନ ପକ୍ଷରୁ ପରୀ କାର୍ଯ୍ୟକ୍ରମ ପାଳନ କରାଯାଇ ସ୍ଥାନୀୟ ଅଂଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ କମା କରୁଥିବା ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଛଥିବା ଦେଖିବାକୁ ମିଳିଛି । ହେଲେ ଗତ ୨ ବର୍ଷ ଧରି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳିଛି । ଧର୍ମକୁ ଆଖି ଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


