ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସେପ୍ଟେମ୍ବର ମାସ ଠାରୁ କୌଣସି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ରହିବନାହିଁ । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ମଧ୍ୟ କୋହଳ କରାଯାଇଛି । କେବଳ ପୌରାଂଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତର ରହିବ । ସକାଳ ୫ଟାରୁ ରାତି ୧୦ ଯାଏଁ ମଲ, ଦୋକାନ ବଜାର , ଅଫିସ୍ ଇତ୍ୟାଦି ଖୋଲିପାରିବ । ସେପ୍ଟେମ୍ବର ମାସର ଗାଇଡଲାଇନ ନେଇ ମଙ୍ଗଳବାର ଅପରାହ୍ନରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ସେହିପରି ବିବାହ , ବ୍ରତ ଓ ଅନ୍ତ୍ୟେଷ୍ଟିରେ ଅତିଥିଙ୍କ ସଂଖ୍ୟା ନେଇଥିବା କଟକଣା ମଧ୍ୟ କୋହଳ ହୋଇଛି । ଏଣିକି ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୨୫୦ ଅତିଥି ଯୋଗ ଦେଇପାରିବେ ।ଏହା ବ୍ୟତୀତ ବିବାହରେ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ମିଳିବ । ତେବେ ବିବାହ ଶୋଭାଯାତ୍ରାରେ କେବଳ ୫୦ ଜଣ ସାମିଲ ହୋଇପାରିବେ । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା କରିପାରିବେ । ଏହି ଶୋଭାଯାତ୍ରା ସମୟରେ ବର, ସାଙ୍ଗସାଥି, ସମ୍ପର୍କୀୟ, ବ୍ୟାଣ୍ଡପାର୍ଟି ସଦସ୍ୟଙ୍କୁ ମିଶାଇ ୫୦ ଜଣ ହିଁ ଯୋଗ ଦେଇପାରିବେ । ଶତ ପ୍ରତିଶତ କ୍ଷମତାକୁ ନେଇ ଖୋଲିବ ମଲ ଓ ସିନେମା ହଲ । ହଲରେ ଯେତିକି ସିଟ ଥିବ ସେତିକି ଦର୍ଶକ ଯାଇପାରିବେ । ହଲରେ କୋଭିଡ କଟକଣା ଦାୟିତ୍ୱ ହଲ ପରିଚାଳନା ବୁଝିବେ । ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ୍ ନିୟମ ମାନି ଖୋଲିପାରିବ । ରାତ୍ରୀକାଳିନ କର୍ଫ୍ୟୁ ବେଳେ ଜରୁରୀ ସେବା ଜାରି ରହିବ । ରାତ୍ରୀ କାଳିନ କର୍ଫ୍ୟୁ ସମୟରେ ସାଧାରଣ ଚଳପ୍ରଚଳ ହେବ ନାହିଁ । ଷ୍ଟେସନ ଓ ଏୟାରପୋର୍ଟକୁୁ ଟିକେଟ୍ ଦେଖାଇ ଯାତ୍ରୀ ଯାଇପାରିବେ । ଏହି ସମୟରେ ଓଲା, ଉବେର, ଖାଦ୍ୟର ହୋମ୍ ଡେଲିଭରି ହୋଇପାରିବ ।ତେବେ ମେଳା ମଉଛବ, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ । ସବୁପ୍ରକାରର ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଉପରେ ବାରଣ ବଜାୟ ରହିବ ।
ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ । ସ୍ଥଳବିଶେଷରେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ, ପୁଲିସ କମିଶନର ମଧ୍ୟ ନିଜ କ୍ଷମତା ଉପଯୋଗ କରି ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ଏସଆରସି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ