ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଶ୍ରୀକରଣ ସାହି ନିବାସୀ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ୟାମସୁନ୍ଦର ପଟ୍ଟନାୟକ (୮୮)ଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ବିତାଇଥିଲେ । ସେ ଯେଉଁ ଯେଉଁ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ସେହି ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ସହ ଉତ୍ତମ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେଇ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ଶିକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି । ଅବସର ପରେ ସେ ଅଧିକାଂଶ ସମୟ ବିଭିନ୍ନ ମଠ ମନ୍ଦିରକୁ ଯାଇ ଅଷ୍ଟପ୍ରହରୀ, ନାମ ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମି କରି ବହୁ ସୁନାମ ମଧ୍ୟ ଅର୍ଜନ କରି ପାରିଥିଲେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ପରିଣତ ବୟସରେ ବି ସେ ସୁସ୍ଥ ଥିଲେ ହେଁ ଗତକାଲି ହୃଦଘାତ ଯୋଗୁଁ ଆରପାରିକୁ ଚାଲିଯାଇଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁଅ, ବୋହୁ, ନାତି,ନାତୁଣୀ ଓ ପ୍ରିୟଜନ ମାନେ ଉପସ୍ଥିତଥିଲେ । ତାଙ୍କର ମୃତ୍ୟୁରେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଗଜପତି ଜିଲ୍ଲାର ଚାଷୀ ସଂଗଠନର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ, ସମାଜସେବୀ ରବିନାରାୟଣ ଚୌଧୁରୀ, ଯୁବସମାଜସେବୀ ହିମାଂଶୁ ପଟ୍ଟନାୟକ (ମାମୁନା) ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।


