୧୩ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲା ଅଖିଳ ଭାରତ କୃଷକ ସଭା
ଛତ୍ରପୁର (ଦେବଦତ୍ତ ମହାରଣଶ): କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଓ କୃଷକ ବିରୋଧି ଆଇନ ବିରୁଦ୍ଧରେ ସାରା ଦେଶରେ ଲଗାତାର ଆନ୍ଦୋଳନ ଚାଲୁ ରହିଛି । ଜିଲ୍ଲା ତଥା ରାଜ୍ୟ କୃଷକ ସମାଜର କଲ୍ୟାଣ ନିମନ୍ତେ ଏହି ତିନି ଆଇନ କାର୍ଯ୍ୟକାରୀ ନ କରିବା ଏବଂ ସ୍ୱାମିନାଥନ୍ କମିଶନରଙ୍କ ସୁପାରିସ୍ ଅନୁସାରେ ଫସଲ ସହାୟକ ମୁଲ୍ୟ (ସି-୨+୫୦%) ଆଇନଗତ ଅଧିକାର ନିମନ୍ତେ ଏକ ସଂକଳ୍ପ ଆଗାମୀ ବିଧାନସଭାରେ ପାରିତ କରିବା ପାଇଁ ଦାବି କରିବା ସହ ଜିଲ୍ଲାର ଚାଷୀ ସମାଜ ସମ୍ମୁଖିନ ହେଉଥିବା ସମସ୍ୟାର ଆଶୁ ସମାଧାନ ନିମନ୍ତେ ଅନୁଷ୍ଠିତ ଅଖିଳ ଭାରତ କୃଷକ ସଭା ପ୍ରତିଷ୍ଠା ଦିବସରେ ଦାବୀ କରାଯାଇଛିା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଅନୁଷ୍ଠିତ ସଭାରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ଅଧ୍ୟକ୍ଷତା କରି କେନ୍ଦ୍ରର ମୋଦିସରକାରଙ୍କ ବିରୁଦ୍ଧରେ କହିବା ସହ ଚାଷୀ ମାନଙ୍କ ନ୍ୟାୟ୍ୟ ଦାବି ନେଇ ବହୁ ଚାଷୀ ଲକ୍ଷ୍ମଣ ଭବନ ଠାରୁ ଏକ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । କୃଷି-କୃଷକ ବିରୋଧୀ କଳା ଆଇନ ତୁରନ୍ତ ରଦ୍ଦ କରିବା ସହ ୧୩ ଦଫା ଦାବୀ ନେଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଆସନ୍ନ ମରୁଡିର ସ୍ଥାୟୀ ପ୍ରତିକାର ସରକାର ତୁରନ୍ତ କରନ୍ତୁ, ଉଠା ଜଳ ସେଚନ ପଏଣ୍ଟ ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରି ଜଳସେଚନର ବ୍ୟବସ୍ଥା କରାଯାଉ, ବିକଳ୍ପ ଚାଷ ନିମନ୍ତେ ବିହନ, ସାର ଓ ଔଷଧ ଚାଷୀଙ୍କୁ ଯୋଗାଇ ଦିଆଯିବା, ସମସ୍ତ ଉତ୍ପାଦିତ ଫସଲ ଗୁଡିକୁ ମଣ୍ଡିରେ ନେବା ପାଇଁ ଗ୍ୟାରେଣ୍ଟି କରାଯାଉ, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୦ ଦିନ କାମ ଦିଆଯାଉ, ଚାଷୀଙ୍କ ଜମି ପଟ୍ଟା ତୁରନ୍ତ ସଂଶୋଧନ କରାଯିବା ଭଳି ଦାବି ଉକ୍ତ ସ୍ମାରକପତ୍ର ମାଧ୍ୟମରେ ଦାବି କରାଯାଇଛି । ଏହି ଆନ୍ଦୋଳନରେଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଉପସଭାପତି ରଙ୍କନାଥ ସ୍ୱାଇଁ ଓ ସୁଦର୍ଶନ ସ୍ୱାଇଁ, ଅନନ୍ତ ମହାଙ୍କୁଡ, ଶରତ ଚନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ପଂଚାନନ ସ୍ୱାଇଁଙ୍କ ସମେତ ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ- ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନ ସମ୍ପାଦକ ଏସ୍ କ୍ରିଷ୍ଣା ରେଡ୍ଡି, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍ ଜନାର୍ଦ୍ଦନ ରେଡ୍ଡି , ଗଞ୍ଜାମ ଜୋନାଲ ସହ-ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ବିଦେଶୀ ନାହାକ, ଗୋପାଳ ଭୂୟାଁ, ଯୁବ ଆଇନଜିବୀ ଡି.ଆଦି ନାରାୟଣ ରେଡ୍ଡି ଓ ସତ୍ୟବାଦୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠା ଦିବସ ଅବସରରେ ଚାଷୀନେତା ରଙ୍କନାଥ ସ୍ୱାଇଁ ଅଖିଳ ଭାରତ କୃଷକ ସଭାର ପତାକା ଉତ୍ତୋଳନ କରି ଚାଷୀ ଏକତା ନିମନ୍ତେ ଆହ୍ୱାନ ଦେଇଥିଲେ ।


