ଆସନ୍ତା ଶିକ୍ଷାବର୍ଷରୁ ଓଡିଆରେ ଇଂଜିନିୟରିଂ ଶିକ୍ଷା ଆରମ୍ଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆସନ୍ତା ଶିକ୍ଷାବର୍ଷରେ ଓଡିଆରେ ଇଂଜିନିୟରିଂ ଶିକ୍ଷାପାଇଁ ଆବଶ୍ୟକୀୟ ପାଠ୍ୟପୁସ୍ତକ ପ୍ରସ୍ତୁତି ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେଙ୍କ ଦ୍ୱାରା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରି ସେ ୮ ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ ଉପରେ ବିସ୍ତୃତ ସୂଚନା ଦେବା ସହିତ ଓଡିଆ ସମେତ ଅନ୍ୟ ୪ ଟି ଭାଷାରେ ଅନୁବାଦପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଜଣେ ଛାତ୍ର ଏକ ନିର୍ଦ୍ଦିଷ୍ଟ ଭାଷା ପୃଷ୍ଠଭୂମିରୁ ଆସି ଉଚ୍ଚଶିକ୍ଷା ପାଇଁ ବୈଷୟିକ ଶିକ୍ଷା ଗ୍ରହଣ କଲାବେଳେ ଇଂରାଜୀରେ ବୁଝିବା ଅସୁବିଧା ହେଉଥିବାରୁ ବୈଷୟିକ ଶିକ୍ଷା ପରିଷଦ ମାତୃଭାଷାରେ ଶିକ୍ଷାଦାନ ସାମଗ୍ରୀ ଯୋଗାଇବା ପାଇଁ ନିର୍ଦ୍ଦଷ୍ଟ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ସମସ୍ତ ବୈଷୟିକ ଶବ୍ଦଗୁଡ଼ିକ ଇଂରାଜୀରେ ଏକ ଅନୁବାଦିତ ରୂପରେ ରହିବ । ବିଦ୍ୟାର୍ଥୀର ବୁଝିବା ସହଜ ହେବାପରେ ଏହାର ଉପସ୍ଥାପନାପାଇଁ ଇଂରାଜୀ ଭାଷା ଶିକ୍ଷା ବାଧ୍ୟତାମୂଳକ ରହିବ । ବୈଷୟିକ ଶିକ୍ଷା ପରିଷଦର ସ୍ୱୀକୃତିପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ କେବଳ ମାତୃଭାଷାରେ ଶିକ୍ଷା ପାଇବାପାଇଁ ବିଦ୍ୟାର୍ଥୀମାନେ ଆବେଦନ କରିପାରିବେ । ଏହିସବୁ କଲେଜ ପରିଷଦ ଅନୁମୋଦିତ ପାଠ୍ୟପୁସ୍ତକକୁ ପ୍ରଚଳନ କରିବେ ବୋଲି ସେ ସୂଚନା ଦେଇଥିଲେ । ଅନୁବାଦିତ ବୈଷୟିକ ଓଡିଆ ପୁସ୍ତକର ସଠିକ ଭାଷା ପ୍ରୟୋଗ ହୋଇ ନ ଥିଲେ ତାହା ପାଠ୍ୟ ଉପଯୋଗୀ ହୋଇପାରିବନାହିଁ ବୋଲି ଡକ୍ଟର ସୁବ୍ରତ ପୃଷ୍ଟି ସୂଚନା ଦେଇଥିବାବେଳେ ଉପଯୁକ୍ତ ଅନୁବାଦପାଇଁ ଶିକ୍ଷକ ଏବଂ ବିଭିନ୍ନ ଅବସରପ୍ରାପ୍ତ ଆଇଆଇଟି ପ୍ରଫେସର ଏହି ଅନୁବାଦ ପ୍ରକ୍ରିୟାରେ ଯୋଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ପ୍ରଫେସର ଓଁକାରନାଥ ମହାନ୍ତି କହିଥିଲେ । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଭିଜ୍ଞ ଭାଷା ମଣ୍ଡଳୀଦ୍ୱାରା ଏହି ଅନୁବାଦ ପୁସ୍ତକର ଭାଷା ସଂଶୋଧନ କରାଯାଇ ପାରିଲେ ଖୁବ ଶୀଘ୍ର ଏହି କାର୍ଯ୍ୟ ସମ୍ପାଦିତ ହୋଇ ଆସନ୍ତାବର୍ଷ ଓଡିଆରେ ବୈଷୟିକ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ ପ୍ରଫେସର ନଟବର ଶତପଥୀ ପରାମର୍ଶ ଦେଇଥିଲେ । ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷା କରୁଥିବା ବିଦ୍ୟାର୍ଥୀଙ୍କପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହିତ ମିଳିତ ଭାବରେ ବୈଷୟିକ ଶିକ୍ଷା ପରିଷଦ ଓଡିଆରେ ବୈଷୟିକ ଶବ୍ଦକୋଷ ପ୍ରସ୍ତୁତ କରିପାରିଲେ ଏହା ସମସ୍ତ ଅନୁବାଦକ ଓ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିବା ସହିତ ଅନୁବାଦରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ ବୋଲି ପ୍ରଫେସର ଅଜିତ ନାୟକ କହିଥିଲେ ।
ଏହି ପରିପ୍ରେକ୍ଷୀରେ ଓଡିଆ ଭାଷା ଶିକ୍ଷାଦାନପାଇଁ ଆବେଦନ କରିବାକୁ ଅଣ-ସ୍ୱୀକୃତିପ୍ରାପ୍ତ କଲେଜଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ଅଧ୍ୟକ୍ଷଙ୍କୁ ଓପେକାର ସଚିବ ଶ୍ରୀ ବିନୋଦ ଦାଶ ଅନୁରୋଧ କରିଥିଲେ । ଏହି ବୈଠକରେ ଭାରତର ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବସର ବେଉରିଆ, ପ୍ରଫେସର ଓଁକାରନାଥ ମହାନ୍ତି, ଡକ୍ଟର ସୁବ୍ରତ ପୃଷ୍ଟି, ଡକ୍ଟର ସିପ୍ରା ମଲ୍ଲିକ, ପ୍ରଫେସର ନଟବର ଶତପଥୀ, ବିଜୁପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପ୍ରତିନିଧି ପ୍ରଫେସର ଶିବକୁମାର ମିଶ୍ର, ବୀର ସୁରେନ୍ଦ୍ରସାୟ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝି, ସୋଆ ବିଶ୍ୱଦ୍ୟାଳୟର କମ୍ପୁଟର ବିଭାଗର ମୁଖ୍ୟ ପ୍ରଫେସର ଅଜିତ ନାୟକ ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଉପନିର୍ଦ୍ଦେଶକ ଡକ୍ଟର ମନୋରଂଜନ ସାମଲ ଉପସ୍ଥିତ ହୋଇ ନିଜର ମତ ରଖିଥିଲେ । ଶେଷରେ ଉକ୍ତ ବୈଠକରେ ଉପସ୍ଥିତ ରହି ଓଡିଆରେ ବୈଷୟିକ ପାଠ୍ୟପୁସ୍ତକ ରଚନାର ସମସ୍ତ ଦିଗ ଉପରେ ଆଲୋକପାତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଓଡିଆ ଭାଷା ଅନୁବାଦ ବିଶେଷଜ୍ଞଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ପ୍ରଫେସର ସହସ୍ରବୁଦ୍ଧେ ପରାମର୍ଶ ଦେଇଥିଲେ ।


