ଆଳିରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା : କାରକାଚ ଭାଙ୍ଗିବାରୁ ମାରିଦେଲେ- ଏସପି

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ଯୁବକ ଗୌରାଙ୍ଗ ସେଠୀ ହତ୍ୟା ଘଟଣାରେ ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏ ନେଇ ସୋମବାର ସନ୍ଧ୍ୟାରେ ଏସପି ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପ୍ରତାପ ମହାକୁଡ଼, ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, ବବୁଲ ମହାକୁଡ଼, ଲିପୁ ମହାକୁଡ଼, ବବଲୁ ଦାସ ଓ ଟୁଟୁନି ମହାକୁଡ଼। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଲୁହା ରଡ, ରକ୍ତ ଭିଜା ବାଉଁଶ ବାଡି, ଏକ ବୋଲେରୋ, ୭ଟି ମୋବାଇଲ ଫୋନ, କାଚ ଗ୍ଲାସ ପୋଲିସ ଜବତ କରିଛି। ଏସପି ଶ୍ରୀ କଟ୍ଟାରିଆ କହିଛନ୍ତି ମେ ୨୮ ତାରିଖରେ ଗୌରାଙ୍ଗ ମହାଦେଇପାଟଣା ଗ୍ରାମର ପ୍ରକାଶ ପାଣ୍ଡବ ନାମକ ଜଣେ ବ୍ୟକ୍ତିଙ୍କ କାର କାଚ ଓ ସେହି ଅଞ୍ଚଳର ସରପଞ୍ଚମନୋଜ ସାହୁଙ୍କ ବାଇକ ଭାଙ୍ଗି ଦେଇଥିଲେ। ଏ ନେଇ ଉଭୟ ପ୍ରକାଶ ଓ ମନୋଜ ଗୌରାଙ୍ଗଙ୍କ ବାପା ଅରୁଣ ସେଠୀଙ୍କୁ ଜଣାଇଥିଲେ। ଗୌରାଙ୍ଗଙ୍କ ବାପା ଏବେ କାମକୁ ଯାଉଛନ୍ତି ସନ୍ଧ୍ୟାରେ ଆସିଲେ ଏ ବିଷୟରେ ବୁଝିବେ ବୋଲି କହିଥିଲେ। ହେଲେ ସେହିଦିନ ଅଭିଯୁକ୍ତମାନେ ଗୌରାଙ୍ଗଙ୍କୁ ବୋଲେରୋରେ ବ୍ରାହ୍ମଣୀ ନଦୀ କୂଳରୁ ଅପହରଣ କରି ନେଇଥିଲେ। ଏହି ସମୟରେ ଗୌରାଙ୍ଗ ନଦୀକୁ ଗାଧୋଇ ଯାଇଥିଲେ। ଏହାପରେ ତାଙ୍କୁ ବାଡି ଓ ଲୁହା ରଡରେ ପିଟି ପିଟି ମାରି ଦେଇଥିଲେ। ଗୌରାଙ୍ଗଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଦେଇଥିଲେ। ଏ ନେଇ ଗୌରାଙ୍ଗଙ୍କ ବାପା ଆଳି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲା। ଏହାକୁ ନେଇ ଭୀମ ଆର୍ମିର୍ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏସସି ଏସ୍‌ଟି କମିଟି ପକ୍ଷରୁ ମନୋରଞ୍ଜନ ଜେନା ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାସହ ଜାତୀୟ ମାନବାଧିକାର ଆୟୋଗରେ ମାମଲା କରିଥିଲେ। ବିଭିନ୍ନ ମହଲରୁ ଚାପ ପଡିବା ପରେ ୭ ଦିନ ପରେ ଗଳିତ ଶବ ଉଦ୍ଧାର କରାଯାଇଥିଲା। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସମେତ ଅତିରିକ୍ତ ଏସପି ସୁଧାକର ସାହୁ, ପଟ୍ଟାମୁଣ୍ଡାଇ ଏସପିପିଓ ସୁକାନ୍ତ ପାତ୍ର, ଆଳି ଥାନାଧିକାରୀ ଶ୍ରୀଚନ୍ଦନ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ