କେନ୍ଦ୍ରାପଡା ବିଇଓଙ୍କୁ ଏବିଇଓ ସ୍ୱାମୀଙ୍କ ଧମକ : ପାଟିରେ ବନ୍ଧୁକ ପୁରାଇ ଟ୍ରକ ଚଢାଇ ମାରିଦେବି

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ଧମକ ଦେଇଛନ୍ତି ସହକାରୀ ମଣ୍ଡଳଶିକ୍ଷାଧିକାରୀ ଅନ୍ନପୂର୍ଣ୍ଣା ପଣ୍ଡାଙ୍କ ସ୍ୱାମୀ ସୁକାନ୍ତ ଦ୍ୱିବେଦୀ। ଶ୍ରୀ ଦ୍ୱିବେଦୀ ବିଇଓ ଶ୍ରୀ ମନ୍ତ୍ରୀଙ୍କ ପାଟିରେ ବନ୍ଧୁକ ପୁରାଇ ଏବଂ ଟ୍ରକ ଚଢାଇ ମାରିଦେବାକୁ ଧମକ ଦେଇଥିବା ସମ୍ପର୍କରେ ବିଇଓ ଶ୍ରୀ ମନ୍ତ୍ରୀଙ୍କ ସମେତ ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅଭିଯୋଗରୁ ପ୍ରକାଶ ଯେ ଶ୍ରୀ ଦ୍ୱିବେଦୀଙ୍କ ପତ୍ନୀ ସହକାରୀ ଶିକ୍ଷାଧିକାରୀ ଶ୍ରୀମତୀ ପଣ୍ଡାଙ୍କ ଛୁଟୀ ଦରଖାସ୍ତକୁ କେନ୍ଦ୍ରାପଡା ବିଇଓ ନାମଞ୍ଜୁର କରିଥିବାରୁ ଏଥିରେ ଉକ୍ଷିପ୍ତ ହୋଇ ଶ୍ରୀ ଦ୍ୱିବେଦୀ ବିଇଓଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏଥିସହିତ ସ୍ୱାସ୍ଥ୍ୟଗତ କାରଣରୁ ଛୁଟୀ ନେଇଥିବାରୁ ସେ କାର୍ଯ୍ୟକରିବାକୁ ଅକ୍ଷମ ବୋଲି ତାଙ୍କୁ ମେଡିକାଲ ବୋର୍ଡକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଲେଖିବା କ୍ଷମତା ବିଇଓଙ୍କର ନାହିଁ ବୋଲି ଶ୍ରୀ ଦ୍ୱିବେଦୀ କହିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଶ୍ରୀମତୀ ପଣ୍ଡା ସ୍ୱାସ୍ଥ୍ୟଗତ କାରଣରୁ ବିନା ଡାକ୍ତର ସାର୍ଟିଫିକେଟରେ ୩ମାସ ଛୁଟୀ ନେଇଥିଲେ। ଏହାପରେ ସେ ସେଛାକୃତ ଅବସର ଗ୍ରହଣ କରିବାକୁ ଏକ ତିନିମାସିଆ ନୋଟିସ ଦେଇଥିଲେ। ତାଙ୍କର ଉଭୟ ଦରଖାସ୍ତ ଆଇନଗତ ଭାବେ ନାମଞ୍ଜୁର ହୋଇଯାଇଥିବା ଜାଣିବା ପରେ ଶ୍ରୀ ଦ୍ୱିବେଦୀ ଏଥିରେ ଉକ୍ଷିପ୍ତ ହୋଇ ଗତ ୫ତାରିଖରେ ଜୋରଜବରଦସ୍ତ ବିଇଓଙ୍କ କାର୍ଯ୍ୟାଳୟରେ ପଶି ବିଇଓଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାବରେ ଗାଳିଗୁଲଜ କରିବା ସହ ପାଟିରେ ବନ୍ଧୁକ ପୁରାଇ ଏବଂ ଟ୍ରକ ଚଢାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏସମସ୍ତ ଘଟଣା ବିଇଓଙ୍କ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି। ଏହି ଘଟଣା ସମୟରେ କେନ୍ଦ୍ରାପଡା ବିଇଓଙ୍କ କାର୍ଯ୍ୟାଳୟର ୨ଜଣ ସହଶିକ୍ଷାଅଧିକାରୀ ଓ ଡେରାବିଶ ବିଇଓଙ୍କ କାର୍ଯ୍ୟାଳୟର ଜଣେ ବିଆରସିସି ଉପସ୍ଥିତ ଥିଲେ। ଜଣେ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରତ ସମୟରେ ଅଫିସ ମଧ୍ୟରେ ପଶି ଜୀବନରେ ମାରିଦେବାକୁ ଧମକ ଦେବା ଘଟଣା ଖୋଲାଖୋଲି ଭାବେ ଆଇନକୁ ଚ୍ୟାଲେଞ୍ଜ ଦେବା ସହ ସମାନ ବୋଲି ବୁଦ୍ଧିଜିବୀମାନେ କହିଛନ୍ତି। ଆଜି ବିଇଓ ଶ୍ରୀ ମନ୍ତ୍ରୀଙ୍କ ସମେତ ଏବିଇର ତଥା ବିଆରସିସି ବଳଦେବ ଜେନା, ଏବିଇଓ ରଞ୍ଜନ କୁମାର ରାଉତରାୟ, କାର୍ଯ୍ୟାଳୟ କର୍ମଚାରୀ ବିଜ୍ଞାନକିଶୋର ମହାପାତ୍ର, ନବକିଶୋର ଦାସ, ସୁଦ୍ଧାନାରାୟଣ ବିଶ୍ୱାଳ, ସୁଜିତ କୁମାର ରାଉତ, ପ୍ରମୋଦ କୁମାର ମଲ୍ଲ, ପ୍ରିୟଙ୍କା ଭଦ୍ର, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ନୁରଜାହାନ ବାଳା ନାୟକ, ମାନସରଞ୍ଜନ ଜେନା ଓ ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଷ୍ଟାଫ କମିଟି ରେଜୁଲେସନ ସହ ଅଭିଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ