ପାରଳାର ଗର୍ବ ଗୌରବ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡିଶୀ ସଂଗୀତରେ ପୁରସ୍କାରପ୍ରାପ୍ତ ଗୁରୁ ରଘୁନାଥ ପାତ୍ରଙ୍କୁ ଉତ୍କଳ ହିତୈଷଣୀ ସମାଜ ଓ ଆକାଂକ୍ଷା ମହିଳା ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଏନେଇ ପାରଳାଖେମୁଣ୍ଡି ଠାରେ ୟୁଟେକ କମ୍ପ୍ୟୁଟର ଅନୁଷ୍ଠାନର ସଭାଗୃହରେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଦକ୍ଷିଣ ଉପାନ୍ତର ପାରଳାଖେମୁଣ୍ଡିର ଜଣେ ସଙ୍ଗୀତଜ୍ଞଙ୍କୁ ସ୍ୱୀକୃତି ମିଳିଥିବାରୁ ସେ ରାଜ୍ୟ ସରକାର ଓ ସଙ୍ଗୀତ ନାଟକ ଏକାଡେମୀଙ୍କୁ କୃତଜ୍ଞତା ଜଣାଇ ଏହା ପାରଳାର ସ୍ୱତନ୍ତ୍ର ସଙ୍ଗୀତ ‘ଘରାନା’କୁ ସ୍ୱୀକୃତି ଦେଇଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଂକ୍ଷାର ସଭାପତି ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମୀନା କୁମାରୀ ଟହଲ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ତ ବିନୋଦ ଚନ୍ଦ୍ର ଜେନା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଡ.କଲ୍ୟାଣୀ ମିଶ୍ର, ମମତା ପାଢୀ, ଜଗଦୀଶଚନ୍ଦ୍ର ମହାପାତ୍ର, ବି. କମୋଳାଙ୍ଗୀ, ମୁରଲୀ ପରିଛା, ବିଜୟଲକ୍ଷ୍ମୀ ନାୟକ, ଭାରତ ଭୂଷଣ ମହାନ୍ତି ପ୍ରମୁଖଙ୍କ ସହ ସଂଗୀତ ପ୍ରେମୀମାନେ ଯୋଗଦେଇ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ୱର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।