ନୂଆ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ଶାହିଦ୍
ବ୍ଲକବଷ୍ଟର ଫିଲ୍ମ “କବୀର ସିଂହ’ ପରେ ଅଭିନେତା ଶାହିଦ୍ କପୁର ଏବେ ନିଜ ଅପକମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ “ଜର୍ସି’ର ରିମେକ୍ । ଏଥିରେ ସେ ଜଣେ କ୍ରିକେଟର୍ ଭୂମିକାରେ ଅଭିନୟ କରିବେ । ସେଥିପାଇଁ ସେ କ୍ରିକେଟ୍ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ତରଣ ତାଙ୍କ ଟ୍ୱିଟର୍ ପେଜରେ ଶାହିଦ୍ଙ୍କ ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ସେ ଏକ ବ୍ୟାଟ୍ ଧରିଛନ୍ତି । ଏହା ସହିତ ତରଣ ଲେଖିଛନ୍ତି, ତେଲୁଗୁ ଫିଲ୍ମ “ଜର୍ସି’ର ହିନ୍ଦୀ ରିମେକରେ ଜଣେ କ୍ରିକେଟର ଚରିତ୍ରରେ ଅଭିନୟ କରିବା ପାଇଁ ଶାହିଦ କପୁର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗୌତମ ଟିନ୍ନାନୁରି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବ । ଗତ ଏପ୍ରିଲ୍ ମାସରେ “ଜର୍ସି’ର ତେଲୁଗୁ ଭର୍ସନ ରିଲିଜ୍ ହୋଇଥିଲା । ଭାରତୀୟ କ୍ରିକେଟ୍ ଟିମରେ ସାମିଲ ହେବାକୁ ଚାହୁଁଥିବା ଅର୍ଜୁନ ନାମକ ଜଣେ ରଣଜୀ ଖେଳାଳିଙ୍କ ସଂଘର୍ଷର କାହାଣୀକୁ ଏଥିରେ ଦର୍ଶାଯାଇଛି । ଫିଲ୍ମଟିକୁ ଲୋକେ ବେଶ୍ ପସନ୍ଦ କରି ଥିଲେ । ଏହାର ହିନ୍ଦୀ ରିମେକକୁ ବି ଲାକେ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।
ସୂଚନା ଅନୁଯାୟୀ, ଶାହିଦ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେବେ । ଏହା ବ୍ୟତୀତ ଫିଲ୍ମଟିରୁ ଯେଉଁ ଲାଭ ମିଳିବ ସେଥିରୁ ବି ୩୦ ପ୍ରତିଶତ ନେବେ । “କବୀର୍ ସିଂହ’ ପରେ ତାଙ୍କର ଡିମାଣ୍ଡ ବଢ଼ିଯାଇଛି । ତେଣୁ ସେ ନିଜ ପାରିଶ୍ରମିକ ମଧ୍ୟ ବଢ଼ାଇ ଦେଇଛନ୍ତି ।


