ଛେଳିଗଡ଼ ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ

ଭୁୁବନେଶ୍ୱର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ସେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା-ପୁରିଆ ସାହି-ବୁରଖତ ଆଦି ସ୍ଥାନ ଦେଇ ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ମହେନ୍ଦ୍ରଗିରି ଶିଖର ଅଂଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ ।
ଏହିସବୁ ମନ୍ଦିର ଏବଂ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇଥିଲେ । ଏହା ସହ ମହେନ୍ଦ୍ରଗିରି ଜୈବ ଅଂଚଳର ଜୈବବିବିଧତା ବୃଦ୍ଧି କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ପର୍ଯ୍ୟଟକମାନଙ୍କ ନିମନ୍ତେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଜିତ କରୁଥିବା ସ୍ଥାନ ବୁରଖତଠାରେ ପର୍ଯ୍ୟଟକ-ରହଣି କ୍ୟାମ୍ପ୍ ଓ ସୁବିଧା କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତକାଳରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଏବଂ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦିର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଇତି ମଧ୍ୟରେ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦୦୦ ହେକ୍ଟର ଜମିକୁ ଜଳସେଚିତ କରିବ ।
ସମୀକ୍ଷା ପରେ ପରେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ଗଜପତି ଜିଲ୍ଲାରେ ପ୍ରକୃତି-ପର୍ଯ୍ୟଟନ ନିମନ୍ତେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରିକୁ ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ କରିବା; ଏବଂ ବ୍ରହ୍ମପୁରରୁ ତୁମ୍ବା ଓ ମହେନ୍ଦ୍ରଗିରି ଦେଇ ପାରଳାଖେମୁଣ୍ଡି ସିଧାସଳଖ ଯିବା ପାଇଁ ଥିବା ରାସ୍ତାର ବିକାଶ ନିମନ୍ତେ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତୁତ ହେବ । ଏହା କରାଗଲେ ଗଜପତି ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ବାସିନ୍ଦାମାନଙ୍କର ରୋଜଗାର ପନ୍ଥା ବୃଦ୍ଧି ପାଇବ ।
ଏହି ଗସ୍ତ ସମୟରେ ରାଜସ୍ୱ ଡିଭିଜନ୍ କମିଶନର ଡି. ୱାପାଙ୍ଗ୍ ଆଓ ଏବଂ ଗଜପତିର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ