ଖୁସିରେ ଯାଇଥିଲେ ଅଜାଘର, ପୋଖରୀ ନେଇଗଲା ଜୀବନ
ପୋଲସରା (ଅନୀଲ କୁମାର ମହାରଣା) : ଅଜା ଘରକୁ ବୁଲିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୪ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମର ଗୋରା ପ୍ରଧାନ ଓ ଧରିତ୍ରୀ ପ୍ରଧାନଙ୍କ ଝିଅ ସାନ୍ଭି ପ୍ରଧାନ। ସୂଚନା ଅନୁଯାୟୀ, ସାନ୍ଭି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବି.ନୂଆପଲ୍ଲୀ ଗ୍ରାମର ତାଙ୍କ ଅଜା ପ୍ରଭାକର ପ୍ରଧାନଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଶନିବାର ଖେଳୁଥିବା ସମୟରେ ଘର ନିକଟସ୍ଥ ପୋଖରୀରେ ପଡ଼ି ବୁଡ଼ିଯାଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ସାନ୍ଭିଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ହୃଦୟ ବିଦାରକ ଘଟଣା ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କୋମଳ ବୟସରେ ସାନ୍ଭିଙ୍କ ଏଭଳି ଅକାଳ ବିୟୋଗ ପରିବାର ଓ ସମ୍ପର୍କୀୟଙ୍କୁ ଗଭୀର ମାନସିକ ଆଘାତ ଦେଇଛି। ପରିବାରର ସାମାନ୍ୟ ଅସାବଧାନତା ଯୋଗୁଁ ଏକ କୋମଳମତି ଶିଶୁର ଜୀବନ ଦୀପ ଚୀର ଦିନ ପାଇଁ ଲିଭିଯାଇଥିଲା। ଶିଶୁମାନଙ୍କୁ ଏଭଳି ବିପଦପୂର୍ଣ୍ଣ ସ୍ଥାନ ନିକଟରେ ନଖେଳିବାକୁ ଅଭିଭାବକମାନେ ସତର୍କ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି କବିସୂର୍ଯ୍ୟନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।


