ଏଟିଏମ୍ ଲୁଟିବା ଯୋଜନା ପଣ୍ଡ କଲା ପୋଲିସ : ୫ ଗିରଫ ମାରଣାସ୍ତ୍ର ଓ ବାଇକ ଜବତ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଛକ ନିକଟରେ ଥିବା ଇଣ୍ଡିକାଶ ଏଟିଏମ୍ ଲୁଟିବା ପାଇଁ ଶନିବାର ବିଳମ୍ବିତ ରାତିରେ ଚାଲିଥିଲା ଡକାୟତି ଯୋଜନା । ପୋଲିସ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରି ୫ ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ୪ ଟି ଜୀବନ୍ତ ବୋମା ଓ ଦୁଇଟି ବାଇକ ଜବତ କରିଥିବା ଜଣାପଡ଼ିଛି । ଗିରଫ ମାନଙ୍କ ମଧ୍ୟରେ ବନ୍ଥପଲ୍ଲୀ ଗ୍ରାମର ହେମନ୍ତ ସ୍ବାଇଁ , ସମୀର କୁମାର ସ୍ବାଇଁ , ଚାଞ୍ଚଡାପଲ୍ଲୀର କୃଷ୍ଣ ସ୍ବାଇଁ , ପରେଶ ଲେଙ୍କା ଓ ସଦରଥାନା ସୁକୁଣ୍ଡା ଗ୍ରାମର ଶଙ୍କର ଗୈାଡ ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ଲୁଟେରାଙ୍କ ଦ୍ବାରା ବିଭିନ୍ନ ସମୟରେ ହେଉଥିବା ଚୋରି , ଡକାୟତି , ରାଜହନୀ ଓ ଲୁଟକୁ ଦମନ କରିବା ପାଇଁ ପୋଲିସ ଯାଞ୍ଚ ବ୍ୟବସ୍ଥା ଉପରେ କଡା ନଜର ରଖିଛି । ତେବେ ଗତକାଲି ରାତି ପ୍ରାୟ ସାଢେ଼ ଗୋଟାଏ ସମୟରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଏ . ସ୍ବର୍ଣ୍ଣଲତା ପାତ୍ର ଦିଗପହଣ୍ଡି , ବଡଡୁମ୍ବୁଳା , ସିଦ୍ଧେଶ୍ୱର ଓ ଗଣିଆନାଳ ଗ୍ରାମରେ ପେଟ୍ରୋଲି କରୁଥିବା ବେଳେ ଉକ୍ତ ଛକରେ ଥିବା ଏଟିଏମ୍ ଠାରୁ ୨୦ ମିଟର ଦୂରରେ ଏକ ଅନ୍ଧାର ନିକାଞ୍ଚନ ସ୍ଥାନରେ ଦୁଇଟି ବାଇକ ଥିବା ବେଳେ କିଛି କଥାବାର୍ତ୍ତା ଶୁଣିବାକୁ ପାଇଥିଲେ । ପୋଲିସ ର ସନ୍ଦେହ ହେବାରୁ ଉକ୍ତ ଅନ୍ଧାର ସ୍ଥାନକୁ ସତର୍କତା ର ସହ ଯାଇଥିଲେ । ସେଠାରେ ଥିବା ୫ ରୁ ୬ ଯୁବକ ଏଟିଏମ୍ ଲୁଟିବା ପାଇଁ ପ୍ଲାନ୍ କରୁଥିବା ବେଳେ ପୋଲିସ ଚାରିପଟୁ ଘେରାଉ କରି ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତେବେ ପୋଲିସକୁ ଚକମା ଦେଇ କିଛି ଲୁଟେରା ଚମ୍ପଟ ମାରିଥିବା ବେଳେ ଅନ୍ୟ ମାନେ ବର୍ତ୍ତି ପାରିନଥିଲେ । ଘଟଣାସ୍ଥଳରୁ ଦୁଇଟି ଲୁହା ଭୁଜାଲି , ଦୁଇଟି ବାଇକ ସମେତ ବିଭିନ୍ନ ମାରଣାସ୍ତ୍ର ଏବଂ ବମ୍ ଜବତ କରିଥିଲା । ଏନେଇ ଦିଗପହଣ୍ଡି ଥାନା କେସ୍ ନଂ ୨୩୮/୨୧ ଧାରା ୩୯୯/୪୦୨ ଆଇପିସି ଏବଂ ବିସ୍ପୋରକ ନିୟନ୍ତ୍ରଣ ଆଇନ ଧାରା ୪ ଓ ୫ ଅନୁସାରେ ସମସ୍ତ ଅଭିଯୁକ୍ତ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।


