ସାମୁଦ୍ରିକ ଝଡ ତିତିଲି ବାତ୍ୟା ଓ ବନ୍ୟାକୁ ଆଜି ପୁରିବ ୮ ବର୍ଷ
ଆସିକା (ୱାଇଏନ୍ଏସ୍): ଗତ ୨୦୧୮ ମସିହା ଅକ୍ଟୋବର ମାସ ୮ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ ତିତିଲି। ଏହାର ପ୍ରଭାବରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିଲା ବାତ୍ୟା ଓ ବନ୍ୟା। ଶହଶହ ଏକର ଜମିର ଫସଲ ନଷ୍ଟ ହେବା ସାଙ୍ଗକୁ ବହୁ ଘର ଭାଙ୍ଗି ଯାଇଥିଲା। ଏପରିକି ଆସିକା ସହରର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଲକ୍ଷ୍ମୀବଜାର, ବିନାୟକ ବଜାର, ବାଣୀବିହାର, କଳିଙ୍ଗ ରୋଡ ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ୧୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହୋଇଥିବାରୁ ଶହଶହ ବ୍ୟବସାୟୀଙ୍କ ଲକ୍ଷଲକ୍ଷ ଟଙ୍କାର ମୁଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ସାମୁଦ୍ରିକ ଝଡ ତିତିଲି ତାଣ୍ଡବକୁ ଆଜି ୮ ବର୍ଷ ପୁରିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସେ ଦିନର ମହାତାଣ୍ଡବର ଦୃଶ୍ୟ ଏବେବି ସତେଜ ହୋଇରହିଥିବା ଲକ୍ଷ୍ୟ କରାଯାଇଛି । ଗତ ୨୦୧୮ ମସିହା ଅକ୍ଟୋବର ମାସ ୮ତାରିଖରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟାରେ ଆସିକା ଅଞ୍ଚଳରେ ଅବର୍ଣ୍ଣନୀୟ କ୍ଷତି ହୋଇଥିଲା। ତିତିଲି ବାତ୍ୟା ଓ ବନ୍ୟା ଭାଙ୍ଗି ଦେଇଥିଲା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଚାଷୀ ଓ ସାଧାରଣ ଜନତାଙ୍କ ମେରୁଦଣ୍ଡ। ପ୍ରକୃତିର କରାଳ ଗ୍ରାସରେ ଉଜୁଡି ଯାଇଥିଲା ଫସଲ। ଅତୀତରେ ଆସିକା ଅଞ୍ଚଳରେ ହୋଇଥିବା ଫାଇଲିନ ଓ ହୁଡୁହୁଡୁ ମହାବାତ୍ୟା ଠାରୁ ସେତେବେଳେ ଭୟଙ୍କର ରୂପ ନେଇଥିଲା ତିତିଲି। ସେହି ଦିନର ଦୃଶ୍ୟ ମନେ ପଡିଲେ ଏବେବି ଆସିକା ଅଞ୍ଚଳ ବାସୀଙ୍କ ଛାତି ଥରୁଛି। ୨୦୧୮ମସିହା ଅକ୍ଟୋବର ମାସ ୮ତାରିଖ। ଆସିକା ଅଞ୍ଚଳବାସୀ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆସିକା ଅଞ୍ଚଳ ଉତ୍ସବ ମୁଖର ଥିଲା ହେଲେ ହଠାତ୍ ମାଡି ଆସିଥିଲା ସାମୁଦ୍ରିକ ବାତ୍ୟା ତିତିଲି। ଯାହା ଆସିକା ଅଞ୍ଚଳକୁ ଛାରଖାର କରିଦେବା ସହ ପ୍ରାୟ ୨୦ବର୍ଷ ପଛକୁ ନେଇଯାଇଥିଲା। ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ଆସିକାବାସୀଙ୍କୁ ଘାରୁଛି ବାତ୍ୟାର ଭୟ । ବିଗତ ବର୍ଷମାନଙ୍କରେ ହୋଇଥିବା ଅଧିକାଂଶ ବାତ୍ୟା ଏହି ଅକ୍ଟୋବର ମାସରେ ଆସିଥିବାରୁ ଏହି ମାସ ଆସିଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆପେ ଆପେ ବାତ୍ୟାର ଭୟଙ୍କର ଚିତ୍ର ମନକୁ ଆସିଯାଉଛି । ୧୯୯୯ ମସିହାର ମହାବାତ୍ୟା ଠାରୁ ଆରମ୍ଭ କରି ୨୦୧୩ ମସିହାର ଫାଇଲିନ୍, ୨୦୧୪ ମସିହାର ହୁଡ୍ହୁଡ୍, ୨୦୧୮ ମସିହାର ତିତିଲି ବାତ୍ୟା ଓ ବନ୍ୟାର ତାଣ୍ଡବ ଆସିକାବାସୀ ଅଙ୍ଗେ ନିଭାଇଥିବା ଜଣାପଡିଛି । ୨୦୧୮ ମସିହା ଅକ୍ଟୋବର ମାସ ୮ ତାରିଖ ତିତିଲି ବାତ୍ୟା ଓ ବନ୍ୟାର ମହାତାଣ୍ଡବକୁ ଆସନ୍ତାକାଲି ୮ ବର୍ଷ ପୁରିବାକୁ ଯାଉଛି । ସେ ଦିନର ସେହି କରାଳ ବିଭିଷୀକାକୁ ଆସିକାବାସୀ ବର୍ତ୍ତମାନ ସୁଦ୍ଧା ଭୁଲିପାରି ନାହାନ୍ତି । ପ୍ରତ୍ୟେକ ଆସିକାବାସୀଙ୍କ ସ୍ମୃତିରେ ଏବେବି ସତେଜ ହୋଇରହିଛି ତିତିଲି ମହାବିପର୍ଯ୍ୟୟର ଦୃଶ୍ୟ । ୨୦୧୮ ମସିହା ଅକ୍ଟୋବର ମାସ ୮ ତାରିଖରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଅଙ୍ଗେ ନିଭାଇଥିବା ଆସିକାବାସୀଙ୍କ ପାଇଁ ଏହି ଦିନକୁ ଏକ ଅଭୁଲା ସ୍ମୃତି ହୋଇରହିଯାଇଛି । ତିତିଲି ମହାବାତ୍ୟାର ପ୍ରଭାବରେ ସେ ଦିନ ସମଗ୍ର ଆସିକା ଅଂଚଳ ଛାରଖାର୍ ହେବା ସହ ଧ୍ୱଂସ ସ୍ତୁପ ପାଲଟିଯାଇଥିଲା । ଉଜୁଡି ଯାଇଥିଲା ଲୋକଙ୍କ ଜୀବନ ଜୀବିକା । ଚାରିଆଡେ ଯେମିତି ହାହାକାର ପଡିଥିଲା । କିଛି ଘଣ୍ଟାର ତାଣ୍ଡବ ଲୀଳାରେ ବଦଳି ଯାଇଥିଲା ଆସିକାର ମାନଚିତ୍ର । ୨୦୧୮ ମସିହା ଅକ୍ଟୋବର ମାସ ୮ ତାରିଖର ସୂର୍ଯ୍ୟାସ୍ତ ଧ୍ୱଂସବିଧ୍ୱସ୍ତର କରାଳ ରୂପକୁ ଦେଖିସାରିଥିଲା । ପ୍ରକୃତିର ତାଣ୍ଡବ ଆଗରେ ସତେ ଯେମିତି ନିଜକୁ ଆତ୍ମସମର୍ପଣ କରିସାରିଥିଲେ ଆସିକାବାସୀ । ଶହ ଶହ ଏକର ଜମିର ଫସଲ ନଷ୍ଟ ହୋଇଥିଲା । ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଇ ସେତେବେଳେ ଆଗକୁ ବଢିଥିଲା ପ୍ରଶାସନ । ଯାହାରି ଫଳରେ ତିତିଲି ମହାବାତ୍ୟା ଓ ବନ୍ୟା ବେଳେ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଶହ ଶହ ଲୋକଙ୍କ ଜୀବନ ବଂଚିଯାଇଥିଲା । ଅତୀତରେ ବହୁବାର ପ୍ରାକୃତିକ ବିପର୍ଯ୍ୟୟକୁ ସାଙ୍ଗରେ ନେଇ ଆସି ନିଜର କରାଳ ରୂପ ଦେଖାଇଛି ଅକ୍ଟୋବର ମାସ । ବିଗତ ପ୍ରାୟ ୨୦ ବର୍ଷ ମଧ୍ୟରେ ଆସିକାବାସୀ ଅକ୍ଟୋବର ଓ ନଭେମ୍ବର ମାସରେ ବହୁ ବାତ୍ୟା ଓ ବନ୍ୟାକୁ ବିଭିନ୍ନ ସମୟରେ ସାମ୍ନା କରିଥିବା ନଜିର୍ ରହିଛି । ୨୦୧୮ ମସିହା ଅକ୍ଟୋବର ମାସ ୮ ତାରିଖ । ଭୁଲ ହେଉନି ସେ ସେ କାଳ ରାତିର କଳାକାହାଣୀ । ବର୍ଷ ପରେ ବର୍ଷ ବିତିଚାଲିଛି ଓ ତାରିଖ ପରେ ତାରିଖ ବଦଳୁଛି ତଥାପି ସେ ଦିନର କାଳରାତ୍ରିର କରାଳ ରୂପକୁ ସ୍ମରଣ କଲେ ଏବେବି ଦେହ ଶୀତେଇ ଯାଉଛି । ଆସିକାରେ ୨୦୧୮ ମସିହା ଅକ୍ଟୋବର ମାସ ୮ ତାରିଖରେ ତିତିଲି ରଚିଥିଲା ଭୟାନକ ତାଣ୍ଡବ । ତିତିଲି ବାତ୍ୟାକୁ ଆସନ୍ତାକାଲି ୮ ବର୍ଷ ବିତିବାକୁ ଥିବା ବେଳେ ଆସିକାବାସୀଙ୍କ ମନରୁ ଲିଭିନି ସେ ଦିନର ସେହି ଭୟାନକ ଦୃଶ୍ୟ । ୨୦୧୮ ମସିହା ଅକ୍ଟୋବର ମାସ ୮ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ତିତିଲି ସାମୂଦ୍ରିକ ଝଡର ତାଣ୍ଡବ । ଅକ୍ଟୋବର ମାସ ଆସିଲେ ଏବେବି ବାତ୍ୟା ଓ ବନ୍ୟାର ବିଭିଷୀକା ଆସିକାବାସୀଙ୍କ ଆଖିରେ ନାଚିଉଠୁଥିବା ଲକ୍ଷ୍ୟ କରାଯାଇଛି ।


