ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶକୁ ଫୁରେ ଉଡାଇଦେଲେ କର୍ମଚାରୀ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଅନ୍ୟତମ ପୁରାତନ ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୨୯ବର୍ଷ ଧରି ପିଅନ ଭାବେ କାର୍ଯ୍ୟରତ ଶ୍ରୀନିବାସ ଓଝା ସରକାରୀ ନୀତି, ନିୟମ ତଥା ଚାକିରୀ ସର୍ତ୍ତାବଳୀକୁ ଉପେକ୍ଷା କରି ଓଳାଭର ଯୁବକ ସଙ୍ଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶରେ ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ ନିଜେ ସେହି ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକ ଓ ସଂପୃକ୍ତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରି ସବିଶେଷ ରିପୋର୍ଟ ସମେତ ଯୁବକ ସଙ୍ଘର ଲେଟର ପ୍ୟାଡ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସେହି ରିପୋର୍ଟ ପ୍ରାପ୍ତ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ କର୍ମଚାରୀଙ୍କୁ ଯୁବକ ସଙ୍ଘର ସାଧାରଣ ସମ୍ପାଦକ ପଦରୁ ତୁରନ୍ତ ଇସ୍ତଫା ପ୍ରଦାନ କରିବାକୁ ନିର୍ଦେଶ ଦେବା ସହିତ ସେ ସମ୍ପର୍କରେ ଅବଗତ କରାଇବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ରାଉତ କର୍ମଚାରୀ ଶ୍ରୀ ଓଝାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ ପତ୍ର ପ୍ରଦାନ କରିବା ସହ ୭ଦିନ ମଧ୍ୟରେ କେଉଁ ପଦରୁ ଇସ୍ତଫା ସେ ଦେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ । କିନ୍ତୁ ନିର୍ଦେଶର ୭ଦିନ ପରେବି ସଂପୃକ୍ତ କର୍ମଚାରୀ ଜଣଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶକୁ ଫୁ କରିଦେଇଥିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଏତଦବ୍ୟତିତ ସଂପୃକ୍ତ କର୍ମଚାରୀ ଜଣଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉପରେ ଚାପ ପକାଇ ସେହି ନିର୍ଦେଶକୁ ବଦଳାଇ ଦେବାକୁ ମସୁଧା ଚଳାଇଥିବା ସୂଚନା ମିଳିଛି । ଯଦି ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ନିର୍ଦେଶର କୈାଣସି ପରିବର୍ତ୍ତନ କରନ୍ତି ତେବେ ଅଭିଯୋଗକାରୀ ପୂର୍ବତନ ଛାତ୍ର ତଥା ଯୁବକ ସଙ୍ଘର ଆଜୀବନ ସଦସ୍ୟ ନଳିନୀକାନ୍ତ ପୃଷ୍ଟି ଏସମ୍ପର୍କରେ ଶିକ୍ଷା ବିଭାଗର ନିର୍ଦେଶକ ଓ ଶାସନ ସଚିବଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିବା ସହ ଓଡିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ।