ବିପଦ ସଙ୍କୁଳ ଅବସ୍ଥାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଧୀନସ୍ଥ ମହୁ ଗ୍ରାମ ପଞ୍ଚାୟତରେ ଥିବା ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନୋଟି ଶ୍ରେଣୀ ଅର୍ଥାତ୍ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ମୋଟ ଏକ ଶହ ଅଠର (୧୧୮) ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ପାଇଁ ଆଜବେଷ୍ଟ ବିଶିଷ୍ଟ ତିନୋଟି ଶ୍ରେଣୀଗୃହ ରହିଛି। ଉକ୍ତ ଆଜବେଷ୍ଟ ଗୃହ ଗୁଡ଼ିକ ବହୁ ପୁରୁଣା ହୋଇଯିବା ସହିତ ଅନେକ ସ୍ଥାନରେ ଫାଟିଯାଇଥିବା ବେଳେ କେତେକ ସ୍ଥାନରେ ବଡ଼ ବଡ କଣା ହୋଇ ଯାଇଛି। ପୂର୍ବରୁ ଏହି ଆଜବେଷ୍ଟ ଗୃହକୁ ମରାମତି କରାଯାଇ ପାଠ ପଢ଼ା ଯାଉଥିଲେ ହେଁ ବର୍ତ୍ତମାନ ଏହାକୁ ମରାମତି କରି ପାଠ ପଢ଼ାଇବା ଆଉ ସମ୍ଭବ ନୁହେଁ।ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଦାବି କରି ଆଳି ବିଡ଼ିଓଙ୍କ ନିକଟରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହର ଆଜବେଷ୍ଟ ଗୁଡ଼ିକ ଅନେକ ସ୍ଥାନରେ ଫାଟିଯାଇଥିବାରୁ ବର୍ଷା ସମୟରେ ଶ୍ରେଣୀଗୃହରେ ବର୍ଷା ପାଣି ପଶିଯିବାରୁ ଶିକ୍ଷାଦାନ ଗୁରୁତ୍ତର ବାଧାପ୍ରାପ୍ତ ହେଉଛି। ଅନେକ ସମୟରେ ଶ୍ରେଣୀ ଗୃହରେ ବିଭିନ୍ନ ପ୍ରକାରର ବିଷଧର ସାପ ମଧ୍ୟ ବାହାରୁଛି। ଫଳରେ ପିଲା ମାନଙ୍କ ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହେଉଥିବା ବେଳେ ବର୍ଷା ପବନ ପାଠ ପଢ଼ାରେ ବାଧକ ସାଜୁଛି। ଯଦି ବର୍ଷା ସମୟରେ ଜୋରରେ ପବନ ହେଉଛି ତେବେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମନରେ ଏହା ଭୟ ଜାଗ୍ରତ କରିବା ସହ ପାଠ ପଢୁଥିବା ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ବର୍ତ୍ତମାନ ଏପରି ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ା ଯାଉଥିବାରୁ ଯଦି କିଛି ଦୁର୍ଘଟଣା ଘଟି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି କ୍ଷତି ପହଞ୍ଚେ ତେବେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଏସମ୍ପର୍କରେ ପୂର୍ବରୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର କୌଣସି ସମାଧାନ କରାନଯାଇ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ତେଣୁ ବିଦ୍ୟାଳୟରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଆବଶୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ମନୋରଞ୍ଜନ ସାହୁ , ଦୀନବନ୍ଧୁ ତ୍ରିପାଠୀ, ହୃଦାନନ୍ଦ ପରିଡ଼ା, ରତିକାନ୍ତ ପାତ୍ର, ମାନସ ରଞ୍ଜନ ଧଳ, ନିତ୍ୟାନନ୍ଦ ବିଶ୍ୱାଳ, ନବଘନ ତରାଇ, ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ, ଦିପ୍ତିରେଖା ପାତ୍ର, ଗାୟତ୍ରୀ ଦାସ, ସନ୍ଧ୍ୟାରାଣୀ ତରାଇ, ଲିଳିମା ଦାସ, ମିନତୀ ମଲ୍ଲିକ, ମାନସ ସାହୁ, ଜୟନ୍ତୀ ତରାଇ, ଶଶିକଳା ମଲ୍ଲିକ, ମଧୁସ୍ମିତା ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ