ଓଡ଼ିଶା ହାଇକୋର୍ଟରେ କମୁଛି ବିଚାରପତିଙ୍କ ସଂଖ୍ୟା ; ୩୭ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୭ ଜଣ
କଟକ, (ଓ୍ବାଇଏନଏସ): ଓଡ଼ିଶା ହାଇକୋର୍ଟରେ ଦିନକୁ ଦିନ ବଢୁଛି ମାମଲା । ହେଲେ କମୁଛି ବିଚାରପତିଙ୍କ ସଂଖ୍ୟା । ୩୭ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୭ । ଓଡ଼ିଶା ହାଇକୋର୍ଟରେ ଦେଢ଼ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ଅଛି । କିନ୍ତୁ ମାମଲାର ବୋଝ ଅନୁପାତରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏମିତିକି ମୋଟ୍ ମଞ୍ଜୁରିପ୍ରାପ୍ତ ପଦର ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଛି । ଓଡ଼ଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୩୭ ହୋଇଥିବାବେଳେ ଏବେ ଅଛନ୍ତି ମାତ୍ର ୧୭ଜଣ । ପୁଣି ଏବେ ଦୁଇଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ବିଚାରପତି ସଂଖ୍ୟା ୧୫କୁ ଖସି ଆସିବ । ଏଣେ ଗତ ଶନିବାର କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଥିବାବେଳେ ଓଡ଼ିଶା ହାଇକୋର୍ଟ କିନ୍ତୁ ନୂତନ ଜଜ୍ ନିଯୁକ୍ତି ଦିଆ ଯାଇନାହିଁ । କିନ୍ତୁ ମାଡ୍ରାସ୍ ହାଇକୋର୍ଟରେ ସର୍ବାଧିକ ୧୫ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆ ଯାଇଛି । ଓଡ଼ିଶା ହାଇକୋର୍ଟରେ ୩୩ ନିୟମିତ ବିଚାରପତି ଓ ୪ ଅତିରିକ୍ତ ବିଚାରପତି ପଦ ରହିଛି । ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ ଜଣ ବିଚାରପତି ଅଛନ୍ତି । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୦ ହଜାର ୭୦୧ । ଫଳରେ ମାମଲା ଫଇସଲା ନେଇ ସମସ୍ୟା ସୃଷ୍ଟି ହୋଇଛି । କିଛି ମାସ ତଳେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁଙ୍କୁ ପାଟନା ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ଦିଆଗଲା ନାହିଁ । ଏବେ ପୁଣି ହାଇକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜୁରାଟ ହାଇକୋର୍ଟକୁ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି । କେବଳ ସେତିକି ନୁହେଁ, ଆସନ୍ତା ନଭେମ୍ବରରେ ଆଉ ଦୁଇ ଜଣ ବିଚାରପତି ଅବସର ନେବେ । ତେଣୁ ଆଗକୁ ସମସ୍ୟା ଅଧିକ ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଗୋଟିଏ ପଟେ ନୂଆ ବିଚାରପତି ନିଯୁକ୍ତି ହେଉନଥିବାବେଳେ ଅନ୍ୟପଟେ ଖାଲିଥିବା ବିଚାରପତି ପଦ ପୂରଣ ହେଉନଥିବାରୁ ମାମଲା ବିଚାର ଉପରେ ପ୍ରଭାବ ପଡ଼ୁଛି । ଏ ସଂକ୍ରାନ୍ତରେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ, ଏହା ଆମ ଓଡ଼ିଶାର ଏକ ନ୍ୟାୟିକ ଅସ୍ମିତା ପ୍ରସଙ୍ଗ । ଗୋଟେ ପଟେ ତ୍ୱରିତ ନ୍ୟାୟପ୍ରଦାନ ପାଇଁ ଉଭୟ ସୁପ୍ରିମକୋର୍ଟ ଏବଂ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । କିନ୍ତୁ ସେହି ଆଧାରରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । ସେହିପରି ଦୀର୍ଘବର୍ଷ ହେଲା ଓଡ଼ିଶା ହାଇକୋର୍ଟରୁ ଜଣେ ବି ବିଚାରପତି ସୁପ୍ରିମକୋର୍ଟକୁ ଯାଇ ପାରୁ ନାହାନ୍ତି । ତାହାର କାରଣ ହେଉଛି ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦରେ ନିଯୁକ୍ତିର ଅଭାବ । ଯାହାଫଳରେ ଏବେ କୌଣସି ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଣେ ବି ଓଡ଼ିଶା ହାଇକୋର୍ଟର ବିଚାରପତି ନାହାନ୍ତି । ଏ ଦିଗରେ ପ୍ରତ୍ୟେକ ସ୍ତରରେ ପ୍ରୟାସ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଛନ୍ତି ।


