ମୁଁ ‘ଫଟୋ ରାଜନୀତି’ରେ ବିଶ୍ୱାସ କରନ୍ତି ନାହିଁ : ପ୍ରଭାତ ବିଶ୍ୱାଳ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ନୂଆ କରି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କୁ ଉପେକ୍ଷା କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତ୍ରିରଙ୍ଗା ଶୋଭାଯାତ୍ରାର ବ୍ୟାନରରେ ସ୍ଥାନୀୟ ନେତାମାନଙ୍କ ଫଟୋ ଥିବାବେଳେ ପ୍ରଭାତ ବିଶ୍ୱାଳଙ୍କ ଫଟୋ ନଥିବା ଚର୍ଚ୍ଚାର କାରଣ ପାଲଟିଛି । ପ୍ରଭାତ ବିଶ୍ୱାଳ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବା ସହ ମଞ୍ଚରେ ଭାଷଣ ମଧ୍ୟ ଦେଇଥିଲେ । ତେବେ ବ୍ୟାନରରେ ତାଙ୍କ ଫଟୋ ନଥିବା ନେଇ ବିଭିନ୍ନ ଆଲୋଚନା ହେଉଛି । ବିଶେଷ କରି ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଫଟୋ ବ୍ୟାନରରେ ଥିବାବେଳେ ପ୍ରଭାତ ବିଶ୍ୱାଳଙ୍କ ଫଟୋ ନଥିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି । ଏହା କେବଳ ଭୁଲବଶତଃ ହୋଇଛି ନା ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି, ତାକୁ ନେଇ ଚର୍ଚ୍ଚା ହେଉଛି । ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗଦେଇଥିଲେ ମଧ୍ୟ ସ୍ଥାନୀୟ କଟକ ବିଜେପି ନେତୃତ୍ୱ ତାଙ୍କୁ ସହଜରେ ଗ୍ରହଣ କରିପାରିନାହାନ୍ତି କି ବୋଲି ମଧ୍ୟ ଆଲୋଚନା ହେଉଛି । ଏନେଇ କଟକ ସଦର ବିଧାୟକଙ୍କୁ ପଚରାଯିବାରୁ ସେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ଅନ୍ୟପକ୍ଷରେ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ କହିଛନ୍ତି ଯେ, ବ୍ୟାନରରେ ପ୍ରଭାତ ବିଶ୍ୱାଳଙ୍କ ଫଟୋ ନରହିବା ଏକ ତ୍ରୁଟି । ଶୋଭାଯାତ୍ରାର ରୁଟ୍‌ ଓ ସମୟସୀମା ପରିବର୍ତ୍ତନ ହୋଇଥିବାରୁ ବ୍ୟାନରରେ ତାଙ୍କ ଫଟୋ ରଖାଯାଇପାରିନଥିଲା । ତେବେ କାର୍ଯ୍ୟକ୍ରମରେ ତାଙ୍କୁ ଦଳର ବରିଷ୍ଠ ନେତା ଭାବେ ଯଥାଯଥ ସମ୍ମାନ ଦିଆଯାଇଥିବା ସେ କହିଛନ୍ତି । ସେପଟେ, ପ୍ରଭାତ ବିଶ୍ୱାଳ ମଧ୍ୟ ଏହି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେ ‘ଫଟୋ ରାଜନୀତି’ରେ ବିଶ୍ୱାସ କରନ୍ତି ନାହିଁ । ଏଭଳି ଭୁଲ ହୋଇପାରେ, କିନ୍ତୁ ସେ ଦଳର କାର୍ଯ୍ୟଧାରା ଏବଂ କର୍ମୀମାନଙ୍କୁ ବିଶ୍ୱାସ କରନ୍ତି। ସେ ଫଟୋ ରାଜନୀତିଠାରୁ ବହୁ ଦୂରରେ ବୋଲି କହିଛନ୍ତି । ତେବେ କଟକ ଜିଲ୍ଲା ବିଜେପିର ଏତେ ବଡ଼ ତ୍ରିରଙ୍ଗା ଯାତ୍ରାରେ ପ୍ରଭାତ ବିଶ୍ୱାଳ ସାମିଲ ହୋଇଥିଲେ ମଧ୍ୟ ବ୍ୟାନରରେ ତାଙ୍କ ଫଟୋ ନଥିବା ଘଟଣା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ