ସିଏଚଏସଇ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ
ଭୁୁବନେଶ୍ୱର, ମୂଲ୍ୟାୟନରେ ପାତର ଅନ୍ତର ଅଭିଯୋଗ କରି ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟି ଦେଇଛନ୍ତି ଜଣେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପ୍ ଆଉଟ ଛାତ୍ରୀ । ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି । ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର ନନ୍ଦିନୀ ବେହେରା ।
ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ । ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ଭବପର ନୁହେଁ । ତେଣୁ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗରେ ସୋମବାର ପୂର୍ବାହ୍ନରେ ଏକାଧିକ ଡ଼୍ରପ ଆଉଟ୍ ଯୁକ୍ତ ୨ ଏକ୍ସ ରେଗୁଲାରର ଛାତ୍ରଛାତ୍ରୀ ସିଏଚଏସଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଧାରଣା ଦେବା ପରେ କାଉସିଲ କର୍ତୃପକ୍ଷଙ୍କୁ ଭେଟିବାକୁ ଦାବି କରିଥିଲେ । ମାତ୍ର କେହି ନଆସିବାରୁ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଛାତ୍ରୀ ନିଜ ହାତ କାଟି ଦେଇଥିଲେ ।


