ଟିଲଗଡିଆ ହିତାଧିକାରୀଙ୍କୁ ଭତ୍ତା ମିଳିବ କେବେ ?
ହାଟଡିହି, (ବିକାଶ ବିଶ୍ୱାଳ ) : ସରକାର ଗରିବ ଆଦିବାସୀ ଓ ବିଧବା ମହିଳାଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବ୍ଲକ ଓ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଏହି ଗରିବ ହିତାଧିକାରୀ ମାନେ ସରକାରଙ୍କ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଭତ୍ତା ଖଣ୍ଡିଏ ଲେଖାଏଁ ପାଇବାପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେବି ସେମାନଙ୍କୁ ଭତ୍ତା ଦିଆଯାଉ ନାହିଁ ଅଥଚ ନିଜ ନିଜର ସମ୍ପର୍କୀୟ ଲୋକଙ୍କୁ ଭତ୍ତା ଯୋଗାଇ ଦିଆଯାୁଛି । ଏପରି ଅଭିଯୋଗ ନେଇ ଆଜି ବାଲିବରେଇ ପଞ୍ଚାୟତର ୧୦ରୁ ଉର୍ଦ୍ଧ ବିଧବା ଓ ବୃଦ୍ଧା ବ୍ଲକ କାର୍ଯ୍ୟାଳୟକୁ ଆସି ଭତ୍ତା ପାଇଁ ବସିଥିଲେ ମଧ୍ୟ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ଅଭିଯୋଗ କେହି ନଶୁଣିବାରୁ ସେମାନେ ନିରାଶରେ ଫେରି ଯାଇଛନ୍ତି । ବାଲିବରେଇ ପଞ୍ଚାୟତ ଟିଲଗଡିଆ ଗ୍ରାମର ଫୁଲ ହେମ୍ରମ, ମୁନି ଟୁଡୁ, ରୁବି ଟୁଡୁ, ସୁମି ବେସରା, ସଲ୍ୟା ଟୁଡୁ ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ସେମାନେ ଭତ୍ତା ଖଣ୍ଡିଏ ପାଇବାପାଇଁ ପଞ୍ଚାୟତରେ ଆବେଦନ ପତ୍ର ଦେଇଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳିଲା ନାହିଁ । ପଞ୍ଚାୟତ କର୍ତ୍ତୁପକ୍ଷ ବ୍ଲକକୁ ଯାଇ ଆବେଦନ କରିବାକୁ କହିବାରୁ ଆମେ ବ୍ଲକକୁ ୩/୪ଥର ଆସି ଫେରୁଲୁଣି । ଥରକେ ଗାଡିଟିଏ କରି ଆସିବା ବେଳକୁ ୮୦୦ରୁ ହଜାରେ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଆମ କଥା କେହି ଶୁଣୁ ନଥିବାରୁ ଆମେ ବାଧ୍ୟହୋଇ ଫେରିକି ଯାଉଛୁ । ଗ୍ରାମର ସଲମା ଟୁଡୁଙ୍କ ସ୍ୱାମୀ ୩ବର୍ଷ ତଳୁ ମୃତ୍ୟୁବରଣ କରିଥିଲେବି ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଦିଆଯାଇ ନାହିଁ । ବାରମ୍ବାର ସେ ଭତ୍ତା ଖଣ୍ଡିଏ ପାଇଁ ହାରି ଗୁହାରୀ କରୁଥିଲେବି କେହି ତାଙ୍କ ଅଭିଯୋଗ ଶୁଣୁ ନଥିବା ସେ କହିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ କାହାର ସ୍ୱାମୀ ଦୁଇତିନିବର୍ଷ ହେଲା ମୃତ୍ୟୁବରଣ କଲେଣି ତ ଆଉ କାହାର ୫ବର୍ଷ ହେଲାଣି । କିନ୍ତୁ ପଞ୍ଚାୟତରେ ଅନେକ ଅଯୋଗ୍ୟ ବ୍ୟକ୍ତି ଭତ୍ତା ହାତେଇ ନେଉଥିବାବେଳେ ସେମାନେ ଆଦିବାସୀ ଲୋକ ହୋଇଥିବାରୁ ସେମାନଙ୍କ ଅଭିଯୋଗକୁ କେହି ଶୁଣୁ ନଥିବା ସେମାନେ ଅଭିଯୋଗ କରିିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ପିଇଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପଞ୍ଚାୟତରେ ୪୦ରୁ ଭତ୍ତା ହିତାଧିକାରୀଙ୍କ ମୃତ୍ୟୁ ଯୋଗୁଁ ଏହିସବୁ ଭତ୍ତା ଖାଲି ଅଛି । କିନ୍ତୁ ଏହି ହିତାଧିକାରୀ ମାନେ ଠିକ ଭାବେ ଆବେଦନ କରୁ ନଥିବାରୁ ତାହା ରିଜେକ୍ଟ ହୋଇଯାଉଛି । ତେଣୁ ବ୍ଲକ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ଗରିବ ଆଦିବାସୀ ମାନଙ୍କର ଭତ୍ତା କରାଇଦେବାକୁ ସେମାନେ ନିବେଦନ କରିଛନ୍ତି ।


