ବିଶାଳ ତ୍ରିରଙ୍ଗା ଯାତ୍ରା
ହାଟଡିହି, (ଓ୍ବାଇଏନଏସ): ସ୍ୱାଧୀନତା ଦିବସ ପୂର୍ବରୁ ହାଟଡିହି ବ୍ଲକ ପକ୍ଷରୁ ଶୁକ୍ରବାର ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ଦେଶଭକ୍ତିର ଭାବନାରେ ଉଦ୍ବୁଦ୍ଧ ହୋଇ ଏହି ଯାତ୍ରାରେ ବ୍ଲକ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜର ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ହାତରେ ଶୋଭା ପାଉଥିଲା ତ୍ରିରଙ୍ଗା ପତାକା ଏବଂ ଦେଶଭକ୍ତିର ସ୍ଲୋଗାନରେ ପରିବେଶ ମୁଖରିତ ହୋଇଥିଲା। ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରୁ ଏହି ବିଶାଳ ତ୍ରିରଙ୍ଗା ଯାତ୍ରା ବାହାରିଥିଲା। ଯାତ୍ରାରେ ହାଟଡିହି କଲେଜ, ଛେନା ପଦି ଛକ ସ୍ଥିତ ବିଶ୍ୱ ତାରିଣୀ ମହିଳା ମହା ବିଦ୍ୟାଳୟ, ହାଟଡିହି ହାଇସ୍କୁଲ, ପଞ୍ଚାୟତ ହାଇସ୍କୁଲ ଶାସଙ୍ଗର ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବ୍ଲକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ। ହାତରେ ଜାତୀୟ ପତାକା ଧରି ଛାତ୍ରଛାତ୍ରୀମାନେ ‘ଭାରତ ମାତା କି ଜୟ’ ସହ ବିଭିନ୍ନ ଦେଶଭକ୍ତିମୟ ନାରା ଦେଇ ଆଗକୁ ବଢ଼ିଥିଲେ। ଏଥିରେ ସମଗ୍ର ହାଟଡିହି ଅଞ୍ଚଳ ଦେଶଭକ୍ତିର ରଙ୍ଗରେ ରଙ୍ଗିନ ହୋଇଉଠିଥିଲା। ଏହି ତ୍ରିରଙ୍ଗା ଯାତ୍ରା ବ୍ଲକ କାର୍ଯ୍ୟାଳୟରୁ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଛେନାପଦି ଛକସ୍ଥିତ ମା’ ବିଶ୍ୱତାରିଣୀ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ତ୍ରିରଙ୍ଗା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଦେଶଭକ୍ତିମୟ ସ୍ଲୋଗାନ। ଶହ ଶହ ଜାତୀୟ ପତାକା ଏକାଠି ଶୋଭା ପାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କ କହିବା ଅନୁଯାୟୀ, ସ୍ୱାଧୀନତା ଦିବସ ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମନରେ ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ଭାବନାକୁ ଦୃଢ଼ କରିବା। ତ୍ରିରଙ୍ଗା ପ୍ରତି ସମ୍ମାନ ଏବଂ ଦେଶ ପ୍ରତି ଦାୟିତ୍ୱବୋଧର ବାର୍ତ୍ତା ନେଇ ଏହି ଯାତ୍ରା ହାଟଡିହି ଅଞ୍ଚଳରେ ଏକ ଦେଶଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏଥିରେ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା, ରୁଦ୍ର ପ୍ରସାଦ ଜେନା, ସୁନୀଲ ନାୟକ, ଏବିଡ଼ିଓ ରଶ୍ମିରେଖା ନାଇକ, କଲେଜ ଅଧ୍ୟକ୍ଷ ହରି ପ୍ରସାଦ ରାଉତ, ପୂର୍ବତନ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ଶାସଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ସାମିଲ ହୋଇଥିଲେ।


