୧୬ରେ ଭୁବନେଶ୍ୱରରେ ଶିକ୍ଷକ ଆନ୍ଦୋଳନ

ହାଟଡ଼ିହି, (ଓ୍ବାଇଏନଏସ): ନିଜର ନ୍ୟାୟସଙ୍ଗତ ଦାବି ପୂରଣ ଓ ଶିକ୍ଷକ-ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶିକ୍ଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ହାଟଡ଼ିହି ବ୍ଲକରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ଶାସଙ୍ଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଶିକ୍ଷକ ସଂଗଠନର ବିଭିନ୍ନ ପଦାଧିକାରୀ ଓ ପ୍ରଧାନଶିକ୍ଷକମାନେ ଯୋଗଦେଇ ଆଗାମୀ ଆନ୍ଦୋଳନର ରୂପରେଖା, ସଂଘର ଦାବି ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଓଷ୍ଟାର ଉପଦେଷ୍ଟା ମହେନ୍ଦ୍ର କୁମାର ଜେନା, ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଅଲ୍‌ ଓଷ୍ଟାର ସଭାପତି ଅଭୟ କୁମାର ଜେନା, ଜିଲ୍ଲା ଓଷ୍ଟାର ସମ୍ପାଦକ ରଞ୍ଜନ କୁମାର ଘଡ଼େଇ, ଓଷ୍ଟା ସଂଘର ବ୍ଲକ ସଭାପତି ନବଘନ ନାୟକ, ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ଜିଲ୍ଲା ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ସେଠୀ, ଏନ୍‌ପିଏସ୍‌ ସଂଘର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଓ ଅଫିସ ସଂଚାଳକ ପ୍ରଦୀପ କୁମାର ସାହୁ, ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ନାହାକ, ସାରଦେଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ରାଉତ, ହାବଳେଶ୍ୱର ହାଇସ୍କୁଲର ପ୍ରଧାନଶିକ୍ଷକ ଦୀନବନ୍ଧୁ ପଢ଼ିଆରୀଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇଥିଲେ। ବୈଠକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କର ଦୀର୍ଘଦିନର ବିଭିନ୍ନ ସମସ୍ୟା ଏବଂ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା, ବିଦ୍ୟାଳୟଗୁଡ଼ିକରେ ପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କରିବା, ଅବସର ପରେ ପେନସନ ବ୍ୟବସ୍ଥା ଲାଗୁ କରିବା, ୧୯୪ଟି ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ଏନ୍‌ପିଏସ୍‌ ବର୍ଗର ଶିକ୍ଷକମାନଙ୍କୁ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଏବଂ ଗ୍ରେଡ୍‌ପେ ସମ୍ପର୍କିତ ଅସଂଗତି ଦୂର କରିବା ଭଳି ଦାବି ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଦାବି ଜଣାଇ ଆସିଛନ୍ତି।  ବିଭିନ୍ନ ସମୟରେ ସରକାର ଓ ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଆଶାନୁରୂପ ସୁଫଳ ମିଳିନଥିବାରୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବୈଠକରେ ମତ ପ୍ରକାଶ ପାଇଥିଲା। ବିଶେଷକରି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ପ୍ରଭାବିତ ହେଉଥିବା ବେଳେ ଶିକ୍ଷକମାନଙ୍କ ସେବା ସର୍ତ୍ତ, ଦରମା, ପେନସନ ଓ ଅନୁଦାନ ସମ୍ପର୍କିତ ସମସ୍ୟାର ଶୀଘ୍ର ସମାଧାନ ଆବଶ୍ୟକ ବୋଲି ଉପସ୍ଥିତ ଶିକ୍ଷକମାନେ ମତ ଦେଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶିକ୍ଷକମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଦିଗରେ ସରକାର ଗୁରୁତ୍ୱ ଦେବାକୁ ମଧ୍ୟ ଦାବି କରାଯାଇଥିଲା। ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଏକତ୍ରିତ ହୋଇ ନିଜର ଦାବି ଉପସ୍ଥାପନ କରିବେ। ଏହି ଆନ୍ଦୋଳନରେ ହାଟଡ଼ିହି ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେବେ ବୋଲି ପ୍ରସ୍ତୁତି ବୈଠକରେ ଆଶା ପ୍ରକାଶ କରାଯାଇଥିଲା। ବୈଠକ ଶେଷରେ ଆସନ୍ତା ୧୬ ତାରିଖର ଆନ୍ଦୋଳନକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଏକଜୁଟ ହୋଇ ଭୁବନେଶ୍ୱରରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଥିଲା। ଦୀର୍ଘଦିନର ଦାବି ନେଇ ହେବାକୁ ଥିବା ଏହି ଆନ୍ଦୋଳନ ପ୍ରତି ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ଏବେ ଶିକ୍ଷକ ମହଲର ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ