‘ସହାୟକ’ର ୧୫ତମ ସ୍ୱନକ୍ଷତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ସାମାଜିକ ସଙ୍ଗଠନ ‘ସହାୟକ’ର ୧୫ତମ ସ୍ୱନକ୍ଷତ୍ର ଉତ୍ସବ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସହାୟକ ସଂଗଠନର ଜନହିତକାରୀ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଷ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗତ ୧୫ବର୍ଷ ତଳେ ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ମୁଷ୍ଟିମେୟ ବରିଷ୍ଠ ନାଗରିକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି ମତ ଦେଇଥିଲେ । ସହାୟକର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ଇଂ. ବନମାଳି ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ସମାଜସେବୀ ବଳରାମ ବେହେରାଙ୍କ ସମେତ ମୁଖ୍ୟବକ୍ତା ଡ. ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପ-ସଭାପତି ରାଜେନ୍ଦ୍ର ରାଉତ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ନିରଞ୍ଜନ ପରିଡ଼ା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଏବଂ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପପ୍ରଦାନ କରିିଥିଲେ । ଚୌଧୁରୀ ପ୍ରଦୀପ ଦାସ ଓ ମମତା କୁଣ୍ଡୁ ‘ସହାୟକ’ର ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସଂଗୀତ ଶିକ୍ଷକ ମନୋରଞ୍ଜନ ମହାନ୍ତି ସ୍ୱାଗତ ସଂଗୀତ ଗାନ କରିଥିଲେ । ପ୍ରତିବର୍ଷ ଭଳି ଚଳିତବର୍ଷ ଶତାଧିକ ଦୁସ୍ଥ ନରନାରୀଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟ ପ୍ରଦାନ କରାଯାଇଥିଲା । ଏଥି ସହିତ ସହରର ୩ଟି ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସୁଷମ ମଧ୍ୟାହ୍ନ ଭୋଜନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରିଥିବା ବେଳେ ଇଂ. ହୃଷିକେଶ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅକ୍ଷୟ କୁମାର ତ୍ରିପାଠୀ, ପଦ୍ମଲୋଚନ ଦତ୍ତ, ବିଜୟ ଦାସଅଧିକାରୀ, ପ୍ରଣିତା ମିଶ୍ର, ସବିତା ଦାସ, ପ୍ରଫୁଲ କୁମାର ଦାସ, ଶଶାଙ୍କ ଦତ୍ତ, ସଚୀନ୍ଦ୍ର ଦାସ, ଭବେଶ ଚନ୍ଦ୍ର ପଣ୍ଡା, ସେକ ଆଲାଉଦ୍ଦିନ, ଗଙ୍ଗାଧର ପୃଷ୍ଟି, ବିଷ୍ଣୁପ୍ରସାଦ ପାଢ଼ି ଓ ପୁରୁଷୋତ୍ତମ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


