ପ୍ରଶାସନ ପକ୍ଷରୁ ଜିିଲାସ୍ତରୀୟ ମିଶନ ଶକ୍ତି ଋଣମେଳା ୧୨ ହଜାର ଏସଏଚଜିଙ୍କୁ ୩୦୬ କୋଟି ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଋଣମେଳା ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲା ମିଶନ ଶକ୍ତିର ନିର୍ଦ୍ଦେଶକ ତଥା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ଜିଲା ପରିଷଦ ସଭାପତି ନିବେଦିତା ମହାନ୍ତି ଉଦଘାଟନ କରିଥିଲେ । ବାଲେଶ୍ୱର ଜିଲାର ୧୨ଗୋଟି ବ୍ଲକ ୩ ଟି ପୌରପାଳିକା ଓ ଗୋଟିଏ ବିଜ୍ଞପିତ ଅଞ୍ଚଳର ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କୁ ବିନା ସୁଧରେ ଏଥିରେ ଋଣ ପ୍ରଦାନ କରାଯାଇଥିଲା । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ପକ୍ଷରୁ ନିଆଯାଉଥିବା ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲାର ମୋଟ ୧୨,୦୧୬ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୋଟ ୩୦୫.୭୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏକ ଦିବସୀୟ ଋଣ ମେଳାରେ ସର୍ବାଧିକ ଋଣ ପ୍ରଦାନର ଏହା ଏକ ରେକର୍ଡ଼ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲା ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର କୁମାର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲିକ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସୁଦୀପ ଡାକୁଆ, ନାବାର୍ଡ଼ର ଜିଲା ବିକାଶ ପରିଚାଳକ (ଡିଡିଏମ) ତାପସ କୁମାର ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ରହି ଏସଏଚଜିଙ୍କୁ ପ୍ରଦାନ କରାଯାଉଥିବା ଋଣର ସୁବିନିଯୋଗ ଉପରେ ପରାମର୍ଶ ଦେଇଥିଲେ । ସେମାନଙ୍କ ଜୀବନ ଜୀବିକାର ଭବିଷ୍ୟତ ଯୋଜନା, ବୀମା, ପେନସନ ଏବଂ ଲଘୁ ଉଦ୍ୟୋଗ ସ୍ଥାପନ ତଥା ତା’ର ସଫଳ ରୂପାୟନ ଉପରେ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଅନ୍ୟତମ ଅଧିକାରୀ ବିଶ୍ୱଜିତ ପରିଡ଼ା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜୀବିକା ମିଶନର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୌସିକ ପାତ୍ର ଏଥିରେ ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ଅଧିକାରୀ ତଥା ‘ଓରମାସ’ର ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ଅନୁକୂଲ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ୪ ଗୋଟି ବ୍ୟାଟେରୀ ଚାଳିତ ଇ-ରିକ୍ସା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ