ପୃଥିବୀର ସ୍ୱାସ୍ଥ୍ୟ ବିଗାଡୁଛି – “ଫିଙ୍ଗା ଯାଉଥିବା ଖାଦ୍ୟ’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରାଯାଇଥାଏ । ଅନାହାର ଓ ଖାଦ୍ୟ ଅପଚୟକୁ ରୋକିବା ହିଁ ଉକ୍ତ ଦିବସର ମୂଳ ଲକ୍ଷ୍ୟ । ସର୍ବେକ୍ଷଣରୁ ଜଣାଯାଏ ପ୍ରତିଦିନ ଭାରତରେ ୧୯କୋଟି ଲୋକ ଅନାହାରରେ ରୁହନ୍ତି । ଏତଦ୍ସହ ଭାରତରେ ୫ବର୍ଷରୁ କମ୍ ବୟସର ଦୈନିକ ୪ ହଜାର ୫ଶହ ଶିଶୁ ଅନାହାର ଓ କୁ-ପୋଷଣ କାରଣରୁ ଜୀବନ ହରାଉଛନ୍ତି । ଆହୁରି ମଧ୍ୟ ଭାରତରେ ପ୍ରତି ବ୍ୟକ୍ତି ବାର୍ଷିକ ହାରାହାରି ୫୧କିଲୋ ଖାଦ୍ୟ ନଷ୍ଟ କରିଥାନ୍ତି । ନଷ୍ଟ ହେଉଥିବା ଖାଦ୍ୟର ୨୫ ପ୍ରତିଶତକୁ ରୋକିଦେଲେ ସେଥିରେ ଦୁନିଆର ୮୨କୋଟି ଭୋକିଲାଙ୍କ ପେଟ ଭରିହେବ । ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ତଥ୍ୟ ଅନୁସାରେ ନଷ୍ଟ ହେଉଥିବା ଏସବୁ ଖାଦ୍ୟରୁ ମିଥେନ୍ ନାମକ କ୍ଷତିକାରକ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ, ଯାହା ଅଙ୍ଗାରକାମ୍ଳ ଗ୍ୟାସ୍ ତୁଳନାରେ ୨୮ଗୁଣ କ୍ଷତିକାରକ ଏବଂ ପୃଥିବୀର ସ୍ୱାସ୍ଥ୍ୟ ବିଗାଡ଼ିବା ସହ ବିଶ୍ୱତାପନ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ । ଏ ନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକକର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଚିନ୍ତା ପ୍ରକଟ କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି । ଜନସଚେତନତା ଉଦ୍ଦେଶ୍ୟରେ ସେ ରଙ୍ଗ-ବେରଙ୍ଗ ମୁରୁଜକୁ ବ୍ୟବହାର କରି ଖାଦ୍ୟ ଅପଚୟକୁ ରୋକିବା ନେଇ ଇଂରାଜୀ ଭାଷାରେ \”ଲଭ୍ ଫୁଡ୍, ଷ୍ଟପ୍ ୱେଷ୍ଟ\’ ସ୍ଳୋଗାନ୍ ଲେଖି ବିଶ୍ୱବାସୀଙ୍କୁ ଖାଦ୍ୟ ଦିବସରେ ଏକ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଅନ୍ନକୁ ଆମ ଦେଶରେ ଦେବୀ ତୁଲ୍ୟ ଭାବେ ବିଚାର କରାଯାଇଥାଏ । ଅନ୍ନକୁ ହତାଦର ଓ ଅପମାନ ନକରିବାକୁ ସମସ୍ତେ ସଂକଳ୍ପ ନିଅନ୍ତୁ, ବଳକା ଖାଦ୍ୟକୁ ନଷ୍ଟ ନକରି ଏଣେତେଣେ ନ ଫୋପାଡ଼ି ଭୋକିଲାଙ୍କ ନିକଟରେ ପହଞ୍ଚାଇବା ପାଇଁ ଶ୍ରୀ ସାହୁ ଜନସାଧାରଣଙ୍କୁ ଏହି ଅବସରରେ ନିବେଦନ କରିଛନ୍ତି ।


