ରାସ୍ତା ନିର୍ମାଣ ଦାବି

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ କରଞ୍ଜିଗୁଣୁପୁର ଗାଁର ମୁଖ୍ୟ ରାସ୍ତାକୁ ନିର୍ମାଣ ପାଇଁ ଦାବି ଜୋର ଧରିଛ । ବାରିକପୁର –ଚୁଡାକୁଟି ଗ୍ରାମ୍ୟ ଉନ୍ନୟନ ରାସ୍ତା ମୁଣ୍ଡରୁ ଗାଁ ମଧ୍ୟକୁ ଯାଇଥିବା ଗୁଣୁପୁର ଗ୍ରାମ୍ୟ ରାସ୍ତାଟିର ଏବେ ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାଟିର ଅର୍ଦ୍ଧାଧିକ ଭାଗ ରେବୋ ନଦୀର ପାଶ୍ୱର୍ ଅଞ୍ଚଳ ହୋଇଥିବାବେଳେ ଏହାର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ନ୍ୟସ୍ତ ରହିଛି । ପ୍ରାୟ ୧କି.ମି. ବ୍ୟାପୀ ରାସ୍ତା ମରାମତି ବାବଦରେ କେବଳ ମାଟି ମୋରମ ବ୍ୟବହାର ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବାଟଦେଇ ନିକଟ କରଞ୍ଜି, ଚୁନିଦା, ବରହମପୁର, ଚୂଡାକୁଟି , ସରେଇ, ଭଗବାନପୁର, ଇଚ୍ଛଦା ପ୍ରମୁଖ ଗ୍ରାମର ଲୋକମାନେ ଦୈନନ୍ଦିନ ଯାତାୟତ କରିଥାଆନ୍ତି । କହିବାକୁ ଗଲେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଏହା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାବେଳେ ଉକ୍ତ ରାସ୍ତାଟିର ସ୍ଥାୟୀ ମରାମତି ପାଇଁ ଜଳସମ୍ପଦ ବିଭାଗ ଇଚ୍ଛା ପ୍ରକାଶ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅବସ୍ଥା ଏପରି ହୋଇଛି ଯେ ସାଇକେଲ, ମୋଟରସାଇକେଲକୁ ଛାଡିଦେଲେ କୌଣସି ଚାରିଚକିଆ ଯାନ ଉକ୍ତ ରାସ୍ତାରେ ଯିବା ସମ୍ଭବ ନୁହେଁ । ଗାଁର କାହାର ଦେହ ପା ଖରାପ ହେଲେ କିମ୍ବା କୌଣସି ଦୈବ ଦୁର୍ଘଟଣା ଯୋଗୁ ଅଗ୍ନିକାଣ୍ଡ ଘଟିଲେ ଗାଁକୁ ୧୦୮ କିମ୍ବା ଦମକଳ ଯାଇପାରୁନାହିଁ । ରାସ୍ତାଟିର ସଂପ୍ରସାରଣ ସହିତ ସମ୍ପୂର୍ଣ୍ଣ ପିଚ କିମ୍ବା କଂକ୍ରିଟ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇଆସୁଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଯାଜପୁର ଜଳସମ୍ପଦ ବିଭାଗ ଏଥିରେ କେବଳ ବର୍ଷକୁ ବର୍ଷ ମହରମ ଗଣ୍ଡାଏ ପକାଇ କାମ ସାରିଦେଉଛନ୍ତି । ଅସନ୍ତାବର୍ଷ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଗ୍ରାମବାସୀ ମାନେ ଏଥର ରାସ୍ତାଟିକୁ ସମ୍ପୂର୍ଣ୍ଣ ଭାବେ ନବୀକରଣ ପାଇଁ ଦାବି ଜଣାଇଛନ୍ତି । ଏହା ଉପରେ ଜନପ୍ରତିନିଧିଙ୍କ ସହିତ ଜଳସମ୍ପଦ ବିଭାଗ ଦୃଷ୍ଟିନଦେଲେ ଦରକାର ପଡିଲେ ସେମାନେ ସମୂହ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ