ସରକାରୀ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ନେଇ ଥାନାଧିକାରୀକୁ ଭେଟିଲେ ଗ୍ରାମବାସୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ବସନ୍ତିଆ ପଞ୍ଚାୟତ ଅଧିନ ସିଲନ୍ଦି ଗ୍ରାମର ହଲର ଠାରୁ ଭଅଳ ପୋଖରୀ ପର୍ଯ୍ୟନ୍ତ ସରକାରୀ ରାସ୍ତାକୁ କିଛି ନ୍ୟାସ୍ତ ସ୍ୱାର୍ଥ ବ୍ୟକ୍ତି ଜବର ଦଖଲ କରିଥିବା ବେଳେ ଏହାକୁ ଜବର ଦଖଲ ମୁକ୍ତ କରିବା ନେଇ ଗ୍ରାମବାସୀ ମାନେ ଗତ କିଛି ଦିନ ପୂର୍ବେ ତହସିଲଦାରଙ୍କ ଦ୍ୱାରସ୍ତ ହୋଇଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶରେ ଆପଣ୍ଡା ରାଜସ୍ୱ ନୀରିକ୍ଷକ ଓ ଅମିନ ଘଟଣା ସ୍ଥଳକୁ ଯାଇ ମାପଚୁପ୍ କରି ସରକାରୀ ଜାଗାକୁ ଚିହ୍ନଟ କରିଥିଲେ । ଏପରିପେକ୍ଷୀରେ କିଛି ବ୍ୟକ୍ତି ଜବର ଦଖଲ ଜାଗାକୁ ଛାଡି ସାରି ଥିବା ବେଳେ ଆଉ କେତେକ ବ୍ୟକ୍ତିଙ୍କ ଘର ସରକାରୀ ଜାଗାରେ ପଡି ଥିବାରୁ ସେମାନେ ଉକ୍ତ ଜାଗାକୁ ଛାଡୁ ନାହାନ୍ତି । ପାଲଟା ଗ୍ରାମବାସୀ ମାନଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଉକ୍ତ ପଞ୍ଚାୟତର ୬ ଓ ୭ ନଂ.ୱାର୍ଡର ପର୍ଶୁରାମ ସାହୁ, ଅନ୍ତର୍ଯ୍ୟାମୀ ସେଠୀ, ଲିଙ୍ଗରାଜ ସାହୁ, ନରହରି ଗାହାଣ, ବ୍ରହ୍ମାନନ୍ଦ ରଣା, ଆନନ୍ଦ ସାହୁ, ଦୀନବନ୍ଧୁ ପରିଡା, ସୁଦର୍ଶନ ରଣା, ଗୋବିନ୍ଦ ଚନ୍ଦ୍ର ପାଢୀ, ଋକ୍ମଣୀ ରଣା, ମାଳତୀ ସାମଲ, ସରସ୍ୱତୀ ରଣା, ସ୍ୱର୍ଣ୍ଣଲତା ପରିଡା, ସଞ୍ଜୁଲତା ପରିଡାଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ଥାନାଧିକାରୀଙ୍କୁ ଭେଟି ସରକାରୀ ଜାଗାରୁ ଜବର ଦଖଲ ଉଚ୍ଛେଦ କରିବା ସହିତ ଗ୍ରାମବାସୀଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିବା ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଏଥିସହିତ ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକ, ଜିଲାପାଳ, ତହସିଲଦାର, ବିଡିଓଙ୍କୁ ଲିଖିତ ଜଣାଇଛନ୍ତି । ପ୍ରକାଶ ଥାଉକି, ଉକ୍ତ ଦୁଇ ୱାର୍ଡରେ ପ୍ରାୟ ୧ ହଜାର ଲୋକ ବସବାସ କରୁଛନ୍ତି । ଏହି ରାସ୍ତାଟି ପଡୋଶୀ କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବାରୁ ଲୋକ ମାନେ ଏହା ଉପରେ ନିର୍ଭର କରିଆସୁଛନ୍ତି । ମାତ୍ର ଏହାକୁ କିଛି ବ୍ୟକ୍ତି ଦୀର୍ଘ ଦିନ ହେବ ଜବର ଦଖଲ କରିଆସୁଥିବା ଯୋଗୁ ସାଧାରଣଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ