୧୫ଦିନ ହେବ ଆୟୁଷ ଡାକ୍ତରଙ୍କ ପ୍ରତିବାଦ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଗ୍ରାମାଞ୍ଚଳ ମାନଙ୍କରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ସୁଦ୍ଧା ସେଗୁଡିକରେ ନିୟମିତ ଡାକ୍ତର ରହୁନଥିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସତ୍ତ୍ୱେ ଦୀର୍ଘ ୧୪ବର୍ଷ ହେବ ଆୟୁଷ ଡାକ୍ତର ମାନେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଲୋକମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। ପ୍ରତିବାଦ ସ୍ୱରୂପ ଦୀର୍ଘ ୧୫ଦିନ ହେବ ଆୟୁଷ ଡାକ୍ତର ମାନେ କର୍ତ୍ତବ୍ୟ ସ୍ଥଳୀରେ ନୀରବ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ମଞ୍ଜୁରୀରୋଡ଼, ଜଗନ୍ନାଥପ୍ରସାଦ,ମଞ୍ଜୁରୀ, ବିରୋଳି, ରହଣିଆ ଓ ବାରିକପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ଗୁଡିକୁ ଆୟୁଷ ଡାକ୍ତର ମାନେ ରୋଗୀଙ୍କୁ ଦେଉଥିବା ବେଳେ ପ୍ରାଥମିକ ଚିକିତ୍ସାଳୟରେ ଗୁରୁତ୍ୱପୂର୍ଣ୍ଣ ଏଲୋପ୍ୟାଥିକ ଚିକିତ୍ସା ହୋଇପାରୁନାହିଁ। ସମସ୍ତ ଆୟୁର୍ବେଦିକ ଡାକ୍ତର ମାନେ ପୂର୍ବରୁ ଏଲୋପ୍ୟାଥିକ ଚିକିତ୍ସା କରୁଥିବା ବେଳେ ଏବେ ଦାବି ପୂରଣ ପାଇଁ ସେମାନେ ନୀରବ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବାରୁ ଉକ୍ତ ଚିକିତ୍ସା ସେବାରୁ ସେମାନେ ଦୁରେଇ ଯାଇଛନ୍ତି। ଫଳରେ ଥଣ୍ଡା,ଜ୍ୱର ଓ ବିଭିନ୍ନ ରୋଗରେ ପୀଡିତ ଥିବା ଲୋକମାନେ ପ୍ରାଥମିକ ଚିକିତ୍ସାଳୟକୁ ଯାଇ ନିରାଶ ହୋଇ ଫେରୁଥିବା ଜଣାପଡିଛି। ଏପଟେ କରୋନା ମହାମାରୀ ସମୟରେ ଲୋକେ ଏବେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ସ୍ୱାସ୍ଥ୍ୟ ସେବା ପ୍ରତି ବିପଦ ଆଣିଦେଇଛି। ଏହା ଉପରେ ସରକାର ଦୃଷ୍ଟି ନଦେଲେ ଆଗକୁ ଗ୍ରାମାଞ୍ଚଳ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିବ ଏଥିରେ ସନ୍ଦେହ ନାହିଁ।


