ପାରିବାରିକ ହିଂସା, ସ୍ୱାମୀର ପଥର ମାଡରେ ସ୍ତ୍ରୀ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋରିବନ୍ଧା ଗ୍ରାମରେ ପାରିବାରିକ ହିଂସା ଯୋଗୁଁ ସାବଲାପୁରାପୁ ସୁଜାତା ନାମ୍ନୀ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୁଜାତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଏସ୍. ନରେଶ ତାଙ୍କୁ ପଥର ଦ୍ୱାରା ବାରମ୍ବାର ଆଘାତ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ହାତ ଓ ଗୋଡରୁ ପ୍ରଚୁର ପରିମାଣର ରକ୍ତସ୍ରାବ ହୋଇଥିଲା । ଗୋରିବନ୍ଧା ଆଶାକର୍ମୀ ଏନ୍. ଜୟଲକ୍ଷ୍ମୀ ତାଙ୍କୁ ଅଟୋ ଯୋଗେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମୁଣ୍ଡରେ ତାଙ୍କର ସିଲା ପଡିଛି ଓ ଗୋଡ ହାତରେ ଗୁରୁତର ଆଘାତ ଲାଗିଛି । ଘଟଣାରୁ ପ୍ରକାଶ ଯେ, ସୁଜାତାଙ୍କ ମାଆ ଘର ବଥବା ଓ ଶାଶୁ ଘର ଗୋରିବନ୍ଧା । ସେ ମିନି ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଶୈଶବ ଅତିକ୍ରମ କରି ନାହାନ୍ତି । ତାଙ୍କ ସ୍ୱାମୀ ସୁସ୍ଥ ଥିଲେ ବି ବେରୋଜଗାର ପନ୍ଥା ଅବଲମ୍ବନ କରି ବେକାରରେ ବୁଲୁଛନ୍ତି । ପିଲାମାନଙ୍କ ଲାଳନ ପାଳନ ପାଇଁ ସେ ବାଧ୍ୟହୋଇ ମିନି ଅଙ୍ଗନବାଡିରେ ଚାକିରି କରୁଛନ୍ତି । ଏହି ଚାକିରୀକୁ ଛାଡିବା ପାଇଁ ତାଙ୍କ ସ୍ୱାମୀ ନରେଶ ବାଧ୍ୟ କରୁଥିବା ଏବଂ ମୁଖ୍ୟତଃ ଏହି ପ୍ରସଙ୍ଗକୁ ନେଇ ନିର୍ଯ୍ୟାତନା ଦିଅନ୍ତି ବୋଲି କହିଛନ୍ତି । ଏପରି ଭାବେ ନିର୍ଯ୍ୟାତନା ଦୈନନ୍ଦିନ ବଢିଯିବାକୁ ନେଇ ସୁଜାତା ତାଙ୍କ ମାଆ ଘର ବଥବା ଗ୍ରାମକୁ ଚାଲି ଆସିଥିଲେ । ତେବେ ଆଜି ଶୁକ୍ରବାର ପୂର୍ବାହ୍ନ ସମୟରେ ସୁଜାତା ଶାଶୁ ଘର ଗୋରିବନ୍ଧା ଗ୍ରାମର ହରିଜନ ସାହିକୁ ନିଜ ଡ୍ୟୁଟି ପାଇଁ ଯାଇଥିବା ବେଳେ ହଠାତ୍ ତାଙ୍କ ସ୍ୱାମୀ ନରେଶ ସେଠାରେ ପହଂଚି ପଥର ଦ୍ୱାରା ବାରମ୍ବାର ଆଘାତ କରିଥିଲେ । ଘଟଣା ସମ୍ପର୍କରେ ସୁଜାତା କାଶୀନଗର ଥାନାରେ ମୌଖିକ ଭାବେ ଜଣାଇଛନ୍ତି ଏବଂ ଏଫଆଇଆର୍ ଦେବେ ବୋଲି ମଧ୍ୟ ଜଣାଇଛନ୍ତି ।


