ମୋ ସ୍କୁଲ ଅନୁଦାନ ହଡପ ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ସ୍କୁଲ ଗୁଡିକର ଉନ୍ନତି ପାଇଁ ମୋ ସ୍କୁଲ ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠିତ କରି ସେମାନଙ୍କ ସାହାଯ୍ୟ ସହଯୋଗରେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାମ କରାଯିବାକୁ ଲକ୍ଷ ରଖାଯାଇଛି । ଏପରିକି ମୋ ସ୍କୁଲ ଅଭିଯାନରେ ଯେତିକି ଅର୍ଥ ଆଦାୟ କରାଯାଇ ଜମା କରାଯିବ ତାର ଦୁଇଗୁଣା ଅର୍ଥ ସରକାର ବହନ କରି ସ୍କୁଲକୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ଅନୁଦାନ ବି ବାଟମାରଣା ହୋଇଯାଉଥିବା ନେଇ ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଣିଆରୀ ମୁଦୁଲିପଦା ସ୍କୁଲରେ । ଏହି ସ୍କୁଲର ମୋସ୍କୁଲ ଅଭିଯାନ କମିଟି ଏକଲକ୍ଷଟଙ୍କା ଜମା କରିବାପରେ ସରକାରଙ୍କ ପକ୍ଷରୁ ଅଧିକ ଦୁଇଲକ୍ଷ ଟଙ୍କା କରି ମୋଟ ତିନିଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା । ମୋ ସ୍କୁଲ ଅଭିଯାନ କମିଟି ଏହି ଟଙ୍କାରେ ମାତ୍ର ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରି ସ୍କୁଲ ପରିସରରେ ଥିବା ଦୁଇଟି ପୋଖରୀକୁ ପୋତିବାରେ ଖର୍ଚ୍ଚ କରିଦେଲେ । ମାତ୍ର ୩୦/୪୦ହଜାର ଟଙ୍କାରେ ଶହେରୁ ଦୁଇଶହ ଟ୍ରାକ୍ଟର ମାଟି ପକାଇ ଟଙ୍କା ତକ ସାରିଦେଲେ ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦ୍ଧବ ଚନ୍ଦ୍ର ସାଙ୍କୁ ପଚାରିବାରେ ସେ ଅନୁଦାନ ହରିଲୁଟ ଅଭିଯୋଗକୁ ଏଡାଇ ଯାଇ କହିଛନ୍ତି ଯେ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ନିଜ ଦାୟିତ୍ୱରେ ସ୍କୁଲ ପରିସରରେ ମାଟି ପକାଇ ୨ଲକ୍ଷ ୪୦ହଜାର ଟଙ୍କା ନେଇଛନ୍ତି । ଆଉ ୬୦ହଜାର ଟଙ୍କା ଅଛି ବୋଲି କହିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଅଳ୍ପ କିଛି ଟଙ୍କାର କାମ କରାଯାଇ ଲକ୍ଷାଧିକ ଟଙ୍କା ହଡପ ହୋଇଛି ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ