ଚେନ୍ନାଇ ଓ ତାମିଲନାଡୁରୁ ଦୁଇ ଯୁବତୀ ଉଦ୍ଧାର

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପୁଲିସ ଭିନ୍ନ ଭିନ୍ନ ଦୁଇଟି ମାମଲାରେ ଚେନ୍ନାଇ ଓ ତାମିଲନାଡୁରୁ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ନନ୍ଦିପଦା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବାବେଳେ ଉଭୟ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ମାମଲା ନମ୍ବର ୨୨୯/୨୦୨୨ରେ ଜଣେ ନାବାଳିକା ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାଙ୍କ ସନ୍ଧାନ ଜାରି ରଖିଥିଲା। ନାବାଳିକା ଜଣକ ତାମିଲନାଡୁରେ ଥିବା ନେଇ ପୁଲିସକୁ ସୂଚନା ମିଳିବା ପରେ ଏକ ପୁଲିସ ଟିମ୍‌ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ତେବେ ଉଦ୍ଧାର ହୋଇଥିବା ଯୁବତୀଙ୍କ ବର୍ତ୍ତମାନ ବୟସ ୧୯ ବର୍ଷ ବୋଲି ପୁଲିସ କହିଛି। ତାମିଲନାଡୁରେ ସେ ନିଜର ଜଣେ ସାଙ୍ଗଙ୍କ ନିକଟରେ ରହୁଥିଲେ। ପରବର୍ତ୍ତୀ ସମୟରେ ପ୍ରାପ୍ତବୟସ୍କ ହେବା ପରେ ସେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିବା ନେଇ ନିଜ ବୟାନରେ ପ୍ରକାଶ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପୁଲିସ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହିତ ତଦନ୍ତ ଜାରି ରଖିଛି। ସେହିପରି ଅନ୍ୟ ଏକ ମାମଲା ନମ୍ବର ୩୮୭/୨୦୨୫ରେ ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର ମନୋଜ ରାଉତ (୨୪) ନନ୍ଦିପଦା ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। ତଦନ୍ତ ସମୟରେ ନାବାଳିକା ଜଣକ ଚେନ୍ନାଇରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସର ଏକ ଟିମ୍‌ ଚେନ୍ନାଇରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ନନ୍ଦିପଦା ଥାନାକୁ ଆଣିଥିଲା। ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବା ସହିତ ଆଇନ ଅନୁଯାୟୀ କୋର୍ଟରେ ହାଜର କରାଯାଇଥିଲା। ଏ ସମ୍ପର୍କରେ ମାମଲାର ତଦନ୍ତକାରୀ ଅଧିକାରୀ ବଳିଆ ବାରିକ କହିଛନ୍ତି ଯେ ଉଦ୍ଧାର ହୋଇଥିବା ନାବାଳିକା ଜଣକ ବର୍ତ୍ତମାନ ପ୍ରାୟ ୮ ମାସର ଗର୍ଭବତୀ ଅଛନ୍ତି। ନାବାଳିକାଙ୍କ ସୁରକ୍ଷା, ଯତ୍ନ ଓ ଆବଶ୍ୟକ ସହାୟତାକୁ ଦୃଷ୍ଟିରେ ରଖି ତାଙ୍କୁ କେନ୍ଦୁଝର ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ନିକଟରେ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ମନୋଜ ରାଉତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡ଼ିଛି। ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ