ମମିତା ମେହେର ହତ୍ୟାକାଣ୍ଡର ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଓ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅପରାଧୀ ଗୋବିନ୍ଦ ସାହୁଙ୍କୁ ତୁରନ୍ତ ଗିରଫ କରିବା, ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ଜଣେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍ଆଇଟି ଦ୍ୱାରା କରାଇବା ଓ ମମିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ସେପ୍ଟେମ୍ବର ୨୫ ତାରିଖ ଦିନ ପ୍ରକାଶିତ ନ୍ୟାସନାଲ କ୍ରାଇମ ବ୍ୟୁରୋ ରିପୋର୍ଟରେ କୁହାଯାଇଛି, ଓଡ଼ିଶାରେ ପ୍ରତିବର୍ଷ ମହିଳା ନିର୍ଯ୍ୟାତନା, ଅସଦାଚରଣ ଓ ହତ୍ୟା ବଢି ବଢି ଚାଲିଛି । ରାଜ୍ୟ ସରକାର ସବୁବେଳେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବା ବେଳେ ନାରୀ ନିର୍ଯ୍ୟାତନା ରାଜ୍ୟରେ ବୃଦ୍ଧି ପାଇବା ଓଡ଼ିଶାର ଆଇନ ଶୃଙ୍ଖଳା ପ୍ରତି ଏକ ଚରମ ଆହ୍ୱାନ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ମମିତା ମେହେରଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଜଣେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଗଠନ କରି ଅପରାଧରେ ସମ୍ପୃକ୍ତ ମୁଖ୍ୟ ଅପରାଧୀ ଗୋବିନ୍ଦ ସାହୁ ଓ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ରାଜ୍ୟ ମହିଳା କମିଶନ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ମହିଳା ନିର୍ଯ୍ୟାତନା ରୋକିବା ଦିଗରେ ପ୍ରତି ଜିଲ୍ଲାସ୍ତରରେ ବିଭିନ୍ନ ବେସରକାରୀ ସଂଗଠନ ଓ ମହିଳା ପ୍ରତିନିଧିମାନଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରିବା ଓ ପ୍ରତି ମାସରେ ସେହି ଜିଲ୍ଲାର ନାରୀ ନିର୍ଯ୍ୟାତନା ସମୀକ୍ଷା ବୈଠକ ଆହୂତ କରି ସେ ଦିଗରେ ଫଳପ୍ରଦ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ଫଳରେ ମହିଳାମାନଙ୍କ ଭିତରେ ସଗଂଠିତ ସଚେତନତା ବଢିବା ସହିତ ଅପରାଧୀମାନେ ଆଇନକୁ ଭୟ କରିବେ ଯାହାକି ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବା ଦିଗରେ ଏକ ସକ୍ରିୟ ପଦକ୍ଷେପ ହେବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଆଶାପ୍ରକାଶ କରାଯାଇଛି ।


