ବେଲଗାଁରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧ମୃତ୍ୟୁ, ୩ ଗିରଫ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ବେଲଗାଁରେ ଗତ ମାସ ୧୬ ତାରିଖରେ ଏକ ଦାସକୁଳ ବୈଠକରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ଘଟଣାରେ ଗୁରୁତର ଆହତଙ୍କ ଚଳିତ ମାସ ୧ ତାରିଖରେ ଭୋରରେ ମୃତ୍ୟୁ ଘଟିଥିଲା । ମୃତକ ହେଲେ ବେଲଗାଁ ହରିଜନ ସାହିର ବଙ୍ଗାଳି ଦାସ (୭୦) । ମୃତ ବଙ୍ଗାଳିଙ୍କ ପୁଅ ବାବୁଲାଙ୍କ ଅଭିଯୋଗ କ୍ରମେ ଥାନାରେ ନଂ – ୨୭୯/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ଉକ୍ତ ଘଟଣାରେ ହିଂଜିଳି ପୋଲିସ ଗୁରୁବାର ପୂର୍ବାହ୍ନରେ ଡ଼ି. ପାଟପୁର ଗ୍ରାମ ନିକଟରୁ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଂଜିଳି ଥାନା ବେଲଗାଁର ମନୋଜ ଦାସ (୩୪), ରୋହିତ ଦାସ (୩୦) ଓ ନାର୍ସୁ ଦାସ (୫୩) । ଗିରଫ ୩ ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଥାଉକି, ଗତ ମାସ ୧୬ ତାରିଖରେ ହିଂଜିଳି ଥାନା ବେଲଗାଁ ଠାକୁରାଣୀ ମନ୍ଦିର ପରିସରରେ ପୂର୍ବଖଣ୍ଡ ତାଲୁକା ଦାସ କୁଳର ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଗ୍ରାମର ୨ପରିବାରଙ୍କ ମଧ୍ୟରେ ଘଟଥିବା ଏକ ବିବାଦର ସମାଧାନ ପାଇଁ ସ୍ଥିର ହୋଇଥିଲା । କିନ୍ତୁ ବର୍ଷା ହେବା ଯୋଗୁଁ ବୈଠକ ଅଧାରୁ ଭାଙ୍ଗି ଯାଇଥିଲା । ତେବେ ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲୁ ରଖିବାକୁ ଗେଟିୀଏ ଗୋଷ୍ଠି ପକ୍ଷରୁ ଦାବି ହୋଇଥିଲା । କିନ୍ତୁ ଅପର ଗୋଷ୍ଠୀ ଏହାକୁ ମାନ ନ ଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ର ରୁପ ଧାରଣ କରି ହିଂସାତ୍ମକ ଭାବେ ପରସ୍ପର ବାଡ଼ିଆ ପିଟା ହୋଇଥିଲେ । ଏଥିରେ ଉଭୟ ଗୋଷ୍ଠୀର ୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ବଙ୍ଗାଳି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବେଲଗାଁ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଓ ତା’ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା । । ଗତ ୩୧ ଅକ୍ଟୋବର ରାତିରେ ସେ କଟକ ଡ଼ାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ଚଳିତ ମାସ ୧ ତାରିଖ ଭୋରରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ୨ଗୋଷ୍ଠୀ ମଧ୍ୟରେ ଅକ୍ରମଣ ଓ ପ୍ରତି ଅକ୍ରମଣ ଘଟଣା ନେଇ ଗତ ମାସ ୧୬ରେ ପରସ୍ପର ବିରୋଧରେ ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା । ମୃତ ବଙ୍ଗାଳିଙ୍କ ପୁଅ ବାବୁଲା ଦାସ ଅଭିଯୋଗ ପ୍ରକାରେ ନଂ- ୨୭୯/୧୯ରେ ଓ ବିପକ୍ଷ ଗୋଷ୍ଠୀର ନାର୍ସୁ ଦାସ ଅଭିଯୋଗ କ୍ରମେ ନଂ-୨୮୦/୧୯ରେ ମାମଲା ହୋଇଥିବା ଆଇଆଇସି ଦାସଙ୍କ ଠାରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ