ସ୍କାଉଟ୍ ଗାଇଡ଼୍ର ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନଭେମ୍ବର ମାସ ୭ ତାରିଖ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର ପ୍ରତିଷ୍ଠା ଦିବସ ରୂପେ ପ୍ରତିବର୍ଷ ପାଳିତ ହୁଏ । ରାଜ୍ୟର ସବୁ ଜିଲ୍ଲାରେ ଉକ୍ତ ଦିବସଟିକୁ ସ୍କାଉଟ୍ ଗାଇଡ଼୍ମାନଙ୍କ ଦ୍ୱାରା ମହାସମାରୋହରେ ପାଳନ କରାଯାଇଥାଏ । ଭୁବନେଶ୍ୱର ମୁଖ୍ୟାଳୟ ପରିସରରେ ସଂଗଠନ ଦ୍ୱାରା ଆୟୋଜିତ ବେସିକ୍ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ, ରୋଭର ଓ ରେଞ୍ଜରମାନେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ନିକଟକୁ ଯାଇ ଦିବସର ପ୍ରତୀକ ପତାକା ଲଗାଇ ସଂଗଠନର ବାର୍ତ୍ତା ପ୍ରଚାର କରିଥିଲେ । ଏତଦ୍ ବ୍ୟତୀତ ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କୁ ମଧ୍ୟ ପତାକ ଲଗାଇ ଦିବସର ତାତ୍ପର୍ଯ୍ୟ ପ୍ରତିପାଦନ କରିଥିଲେ । ଅପରାହ୍ନରେ ରାଜ୍ୟ ମୁଖ୍ୟ କମିଶନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନ ମାନଙ୍କୁ ବହୁ ଉପଦେଶାତ୍ମକ କଥା କହିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ଶରତ କୁମାର ପାଇକରାୟ ଓ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିବ । ବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


