ଜିଲ୍ଲା ଗୁଣବତ୍ତା ନିଶ୍ଚିତତା କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ଯେଉଁପରି ଭାବରେ ରୂପାନ୍ତରିତ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରା ରାଜ୍ୟରେ ସୁନାମ ଅର୍ଜନ କରିପାରିଛି । ଠିକ୍ ସେହିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ମାନ ବୃଦ୍ଧି କରାଯାଇ ରୋଗୀ ମାନେ ଉତ୍ତମ ସେବା ପାଇ ସୁସ୍ଥ ହେବେ ସେଥି ନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ନିକଟରେ ରହିଥିବା ସାଧନ ଅନୂଯାୟୀ ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଗୁଡିକରେ ଉତ୍ତମ ସେବା ଯୋଗାଇଦେବା ଦିଗରେ ରୂପାନ୍ତିକରଣ କରି “ମୋ ହଷ୍ପିଟାଲ ମୋ ଗର୍ବ” କାର୍ଯ୍ୟକ୍ରମକୁ ସାକାର କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଚିକିତ୍ସାଳୟ ଗୁଡିକରେ ଭଲ ଅଭ୍ୟର୍ଥନା କକ୍ଷ, ଉତ୍ତମ ପଞ୍ଜୀକରଣ ବ୍ୟବସ୍ଥା, ପଞ୍ଜୀକରଣ ପରେ ସମୟ ବ୍ୟୟ ନ କରି ତୁରନ୍ତ ଚିକିତ୍ସା ସୁବିଧା, ଉତ୍ତମ ମାନର ଔଷଧ ବିତରଣ, ରୋଗୀଙ୍କ ଟେଲିଫୋନ ନମ୍ବରକୁ ରଖାଯାଇ ଦୁଇ କିମ୍ବା ତିନି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ସେ ସଂପର୍କରେ ପଚାରି ବୁଝିବା, ସମୟ।ନୁଯାୟୀ ରୋଗୀଙ୍କୁ ସେବା ଯୋଗାଇବା ଦିଗରେ ଉଚିତ୍ ପରାମର୍ଶ ପ୍ରଦାନ କରାଯିବା ବିଷୟ ନେଇ ଆଲୋଚନା ହୋଇଯାଇଛି । ଚିକିତ୍ସାଳୟ ଗୁଡିକର ଭିତ୍ତିଭୂମି ଗୁଡିକର ବିକାଶ, ପାନୀୟ ଜଳର ଯୋଗାଣ, ଶୌଚାଳୟର ସଫେଇ, ବୃକ୍ଷରୋପଣ, ସୌନ୍ଦର୍ଯ୍ୟକରଣ ଇତ୍ୟାଦି ସମେତ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ଗୁଡିକରସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଇ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯିବ । ଆଗାମୀ କାଲି ଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ନିଜ ଅଂଚଳର ଚିକିତ୍ସା କେନ୍ଦ୍ର ଗୁଡିକୁ ଗସ୍ତ କରି ତାହାର ଅନୁସନ୍ଧାନ କରି ରିପୋର୍ଟ ପ୍ରସ୍ତୁତ କରିବେ । ଉପଜିଲ୍ଲାପାଳଙ୍କ ସ୍ତରରେ ତାହାର ତଜର୍ମା କରି ସଠିକ୍ ଏବଂ ସମୟୋଚିତ ରୂପାନ୍ତରିତ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳ ସମସ୍ତ ଚିକିତ୍ସାଳୟ ଗୁଡିକୁ ଗସ୍ତ କରି ଏହି କାର୍ଯ୍ୟର ତଦାରଖ କରିବେ । ଉତ୍ତମ ଚିକିତ୍ସା ପାଇବା ସକାଶେ ସମସ୍ତଙ୍କ ଜନ୍ମଗତ ଅଧିକାର ରହିଛି । ସେହି ଅଧିକାର ନାଗରିକ ମାନେ ଯେପରି ଉତ୍ତମ ରୂପେ ପାଇବେ ତାହାର ସମସ୍ତ ଦିଗ ପ୍ରତି ଦୃଷ୍ଠି ଦିଆଯିବ । ଭିତ୍ତିଭୂମି ଠାରୁ ଆରମ୍ଭ କରି ସେବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଗୁଡିକ ଦୂର କରିବା ନେଇ ସମସ୍ତ ପ୍ରକାର ପ୍ରଚେଷ୍ଠା କରାଯିବ । ତତ ସହିତ ଡାକ୍ତରଗଣ ରୋଗୀ ମାନଙ୍କୁ ଯେପରି ଉତ୍ତମ ମାନର ସେବା ଯୋଗାଇଦେବେ ସେ ଦିଗରେ ଧ୍ୟାନ ଦିଆଯିବ । ସମସ୍ତ ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ବୋଲି ବିବେଚନା କରି ସେମାନଙ୍କ ଯତ୍ନ ନେବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ଗୁଣବତ୍ତା ନିଶ୍ଚିତତା କମିଟି, କାୟାକଳ୍ପ ର ଆଲୋଚନା କରାଯାଇ ବର୍ତ୍ତମାନ ଯେଉଁ ସବୁ ସୁବିଧାମାନ ପ୍ରଦାନ କରାଯାଉଅଛି ସେ ଗୁଡିକ ସଂପର୍କରେ ସମୀକ୍ଷା କରାଯାଇଥିଲା । ଗର୍ଭବତୀ ମହିଳା ମାନଙ୍କ ଯତ୍ନ, ପୋଲିଓ ବୃନ୍ଧା ଖୁଆଇବା, ଟିକାକରଣ, କାୟାକଳ୍ପ, କୋଭିଡ୍ ଟିକାକରଣ ଇତ୍ୟାଦି ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ସମସ୍ତ ଗର୍ଭବତୀ ମହିଳାଗଣ ଯେପରି ଶତ ପ୍ରତିଷତ ଚିକିତ୍ସାଳୟରେ ପ୍ରସୂତୀ ହୋଇପାରିବେ ସେଥର ସକାଶେ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହା ଦ୍ୱାରା ଗର୍ଭବତୀ ମହିଳା ମାନଙ୍କର ପ୍ରସୂତୀ ସମୟରେ ମୃତ୍ୟୁକୁ ରୋକାଯାଇପାରିବ । କୋଭିଡ୍ ଟିକାକରଣ ଯେପରି ଶତ ପ୍ରତିଶତ ପୂରଣ ହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।
ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ପରିଚାଳକ (ଆରସିଏଚ୍‌) ଶକ୍ତି କୁମାର ଦିଗାଲ, ଜିଲ୍ଲା ସମାଜ କଲ୍ୟାଣ ବିଭାଗୀୟ ଜିଲ୍ଲା ଯୋଜନା ଅଧିକାରୀ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ