ବିଦ୍ୟାଳୟ ସ୍ତରୀୟ ପୋଷଣ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):କରୋନା ମହାମାରୀ ସମୟରେ ରାଜ୍ୟ ସରକାର ପ୍ରତ୍ୟକ ବିଦ୍ୟାଳୟ ମାନଙ୍କରେ ପୋଷଣ ବଗିଚା (ନ୍ୟୁଟ୍ରେସନ ଗାର୍ଡେନ) ପାଇଁ କୋଟିକୋଟି ଟଙ୍କା ଅନୁଦାନ ଯୋଗାଇଥିଲେ। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧିନ ୧୭ଗୋଟି କ୍ଳଷ୍ଟର ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅନୁଦାନ ପ୍ରଦାନ କରାଯାଇଥିଲା। ଲକ୍ଷ୍ୟ ଥିଲା ପୋଷଣ ବଗିଚା କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟ ପରିସରରେ ପନିପରିବା ଚାଷ କରିବା। ବିଶେଷ କରି ମଧ୍ୟାହ୍ନ ଭୋଜନ ପାଇଁ ବାଇଗଣ, ଅମୃତଭଣ୍ଡା, କଖାରୁ, ଜହ୍ନି, କଦଳୀ ଗଛ ଲଗାଇବା ସକାଶେ ପ୍ରତ୍ୟକ ବିଦ୍ୟାଳୟକୁ ସରକାର ୫ହଜାର ଟଙ୍କା ଲେଖାଏଁ ଅନୁଦାନ ଯୋଗାଇଥିଲେ। ବ୍ଲକର ବଳଦେବଜୀଉ, ବାରିକପୁର, ଭଗିବିନ୍ଧା, ବିଷ୍ଣୁପୁର, ଫତେପୁର, ଜଳହରି, ଯଶୋଟିକିରି, କଣ୍ଟି, ଖଡ଼ିସିଙ୍ଗା, ମହୁରା, କୁଲଣା, ପରମାନନ୍ଦପୁର, ରାଜେନ୍ଦ୍ରପୁର, ରହଣିଆ, ସାତଶୋଳା, ଷୋଳମପୁର, ସରସଦା କ୍ଳଷ୍ଟର ଅଧିନ ପ୍ରାୟ ୧୩୦ଗୋଟି ବିଦ୍ୟାଳୟକୁ ଅନୁଦାନ ଯୋଗାଯାଇଥିଲା। ପରିତାପର ବିଷୟ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଲାଗିରହିଥିବାରୁ ଅଧାରୁ ଅଧିକ ସମୟ ବିଦ୍ୟାଳୟ ବନ୍ଦ ରହୁଥିବା ବେଳେ ପୋଷଣ ବଗିଚାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜେନ୍ଦ୍ରପୁର ସହିତ ଗୋଟାଏ ଦୁଇଟା କ୍ଲଷ୍ଟରକୁ ଛାଡିଦେଲେ ଅନ୍ୟ କେଉଁ କ୍ଲଷ୍ଟର ଅଧିନ ବିଦ୍ୟାଳୟ ଗୁଡିକରେ ପୋଷଣ ବଗିଚା ସୃଷ୍ଟି କରାଯାଇନାହିଁ। ପିଲାମାନେ ବିଦ୍ୟାଳୟ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଯୋଗୁ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ପୋଷଣ ବଗିଚା ସୃଷ୍ଟି କରିବା ପାଇଁ ମନ ବଳାଇ ନାହାନ୍ତି। କାଁ ଭାଁ କିଛି ବିଦ୍ୟାଳୟରେ ଗୋଟାଏ ଦୁଇଟି ଗଛ ଲଗାଯାଇଛି। ଏପରିସ୍ଥଳେ ସରକାର କିଛି ମାସ ପୂର୍ବରୁ ପ୍ରଦାନ କରିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ମାଗିବାରୁ କର୍ତ୍ତୃପକ୍ଷ ପୋଷଣ ବଗିଚା କାର୍ଯ୍ୟକ୍ରମ ସଫଳ ହୋଇଥିବା ପ୍ରମାଣିତ କରିଛନ୍ତି। ଯେଉଁ ବିଦ୍ୟାଳୟରେ ପୋଷଣ ବଗିଚା ସୃଷ୍ଟି କରାଯାଇଛି ସେହି ବଗିଚାର ଫଟୋରେ ଅନ୍ୟ ବିଦ୍ୟାଳୟ ଗୁଡିକୁ ସାମିଲ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏଥିରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ସିଆରସିସି, ଏବିଇଓ, ବିଇଓ ସମସ୍ତେ ସାମିଲ ହୋଇ ପୋଷଣ ବଗିଚା କାର୍ଯ୍ୟକ୍ରମକୁ କେବଳ କାଗଜ କଲମରେ ଶତ ପ୍ରତିଶତ ସଫଳ କରିଥିବା ବେଳେ ସରକାରଙ୍କୁ ଭୁଆଁ ବୁଲାଇଛନ୍ତି। ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ହୋଇପାରିଲେ ପୋଷଣ ବଗିଚାର ଆର୍ଥିକ ଅନିୟମିତତା ବାବଦରେ ଅନେକ ରହସ୍ୟ ପଦାକୁ ଆସି ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ