ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଘରେ ପହଂଚାଇଲେ ସମାଜସେବୀ ଓ ପୋଲିସ୍ କର୍ମଚାରୀ
ଛତ୍ରପୁର (ଦେବଦତ୍ତ ମହାରଣା) : ପୁଣି ଛତ୍ରପୁର ଥାନା ପକ୍ଷରୁ ଏକ ଅସହାୟ ବ୍ୟବସ୍ଥାରେ ଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଅଂଚଳବାସୀଙ୍କ ସହଯୋଗରେ ତାଙ୍କୁ ନିଜ ଘରକୁ ପଠାଯାଇଛି । ଗୁରୁବାର ବିଲମ୍ବିତ ରାତିରେ ସ୍ଥାନୀୟ ପୁତ୍ତି ଗୋପାଳପୁର ସ୍ଥିତ ମସଜିଦ୍ ନିକଟରେ ଅସହାୟ ଜଣେ ବୃଦ୍ଧା ରହିଥିବା ଦେଖିବାକୁ ମିଳିଥିଲା । ଏହାର ସ୍ଥାନୀୟ ବାସିନ୍ଦା ମାନଙ୍କ ଠାରୁ ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଥାନାର କିଛି ପୋଲିସ୍ କର୍ମଚାରୀ , ଅଂଚଳର କିଛି ଯୁବକ ଏବଂ ଯୁବ ସମାଜସେବୀ ମାଧବ କାୟାଙ୍କ ସହଯୋଗରେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ୍ ଗାଡି ଯୋଗେ ତାଙ୍କୁ ତାଙ୍କ ଗ୍ରାମ ବିରିପୁରକୁ ପଠାଯିବା ସହ ନିଜପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଉକ୍ତ ବୃଦ୍ଧା ଜଣକ ସ୍ମରଣ ଶକ୍ତି ହରାଇଥିବାରୁ ସେ ଗତକାଲି ଠାରୁ ଘରୁ କୁଆଡେ ଚାଲିଯାଇଥିଲେ । ସୂଚନା ଯୋଗ୍ୟ ଯେ, ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ସନ୍ଧାନ ମିଳୁନଥିଲା । ଉକ୍ତ ବୃଦ୍ଧା ଜଣକ ପ୍ରଫୁଲ୍ଲ ଦାସ ବୋଲି ସୂଚନା ମିଳିଛି । ଗତ କିଛି ଦିନ ତଳେ ଛତ୍ରପୁର ଥାନା ପୋଲିସ୍ ସହ ଯୋଗରେ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ଭୁତସରସିଙ୍ଗ ଠାରେ ଥିବା ଜରାଶ୍ରମକୁ ପଠାଯାଇଥିଲା ।


