ବିଜେଡି ରାଜନୀତି ସରଗରମ, ପଂଚାୟତ ପ୍ରାର୍ଥୀ ଘୋଷଣା ନେଇ ବଢୁଛି ଉତ୍ସାହ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ରାଜ୍ୟ ସରକାର ଆସନ୍ତା ଫେବ୍ରୁଆରି ମାସ ସୁଦ୍ଧା ପଂଚାୟତ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଗାଁ ଗାଁ ରେ ଆଲୋଚନା ଉଷ୍ମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ରାଜନୀତି ସରଗରମ ହୋଇଥିବା ବେଳେ କିଛି ପଞ୍ଚାୟତରେ ସମର୍ଥିତ ପ୍ରାର୍ଥୀ ଘୋଷଣା କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳାଇଦେଇଛି। ଗତ ଦୁଇ ଦିନ ପୂର୍ବରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପାଟୁଳି ପଂଚାୟତର ସରପଞ୍ଚ ପ୍ରାର୍ଥୀ ଓ ସମିତି ସଦସ୍ୟା ପ୍ରାର୍ଥୀଙ୍କ ପାଇଁ ନାମ ଘୋଷଣା ହୋଇଥିବା ବେଳେ ଆଜି ଜଳମଣ୍ଡୁଆ ପଂଚାୟତ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏଥିରେ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସ କାନ୍ତି ସାମଲ ଉପସ୍ଥିତ ରହି ପଂଚାୟତ କର୍ମକର୍ତ୍ତା ଓ ପ୍ରମୁଖ ବିଜେଡି କର୍ମୀଙ୍କ ମତାମତ ଲୋଡିଥିଲେ। ସର୍ବସମ୍ମତି କ୍ରମେ ସରପଞ୍ଚ ପ୍ରାର୍ଥୀ ଭାବେ ତନିମା ରାଉତ ଓ ସମିତି ସଦସ୍ୟ ପ୍ରାର୍ଥୀ ଭାବେ ଯୁବ ନେତା ଜଗତଜୀବନ ବାରିକଙ୍କ ନାମକୁ ଶ୍ରୀ ସାମଲ ଘୋଷଣା କରିଥିଲେ। ପ୍ରାର୍ଥୀ ଚୟନ ବୈଠକରେ ପଂଚାୟତ ବିଜେଡି ନେତା ରଘୁନାଥ ପଣ୍ଡା, ଅରୁଣ କୁମାର ବାରିକ, ନାରାୟଣ ନାୟକ, ଅଖିଳ ଚରଣ ପଣ୍ଡା, ପରମେଶ୍ୱର ସାହୁ, ବାସୁଦେବ ଧଳ, ସଚିକାନ୍ତ ଜେନା , ବଳରାମ ରାଉତ, ଉଦୟ ଜେନା, ଅଭିନାଶ ମହାପାତ୍ର, ସୋମନାଥ ପେଡା, ବିଜୟ ରାଉତ, ଉଦ୍ଧବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


