ଦୁଇ ଦିନ ଧରି ଜଳବନ୍ଦୀ ଲକ୍ଷାଧିକ ଲୋକ,ବାହ୍ୟଜଗତରୁ ବିଚ୍ଛିନ୍ନ ଅନେକ ଗାଁ

ଧାମନଗର  (ଓ୍ବାଇଏନଏସ): ଧାମନଗର ଅଞ୍ଚଳରେ ବୈତରଣୀ ଓ ଗେଙ୍ଗୁଟି ନଦୀର ଭୟଙ୍କର ବନ୍ୟାର ପ୍ରକୋପ ସାମାନ୍ୟ କମିଥିଲେ ମଧ୍ୟ ଦୁର୍ଦ୍ଦଶା କମିନାହିଁ। ଦୁଇ ଦିନରୁ ଅଧିକ ହେବ ଅନେକ ଗାଁ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଚଳିତ ବନ୍ୟାରେ ଧାମନଗର ବ୍ଲକର ୩୦ଟି ପଞ୍ଚାୟତର ୧୪୩ଟି ଗାଁର ୧ ଲକ୍ଷ ୬୦ ହଜାର ୨୦୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହାସହ ଧାମନଗର ଓ ଧୁଷୁରୀ ଏନଏସିର ଏକାଧିକ ୱାର୍ଡ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବୁଧବାର ତୁଳନାରେ ଅଞ୍ଚଳରେ ମାତ୍ର ୩ ଫୁଟ ଜଳସ୍ତର ହ୍ରାସ ପାଇଥିବାରୁ ସାଧାରଣ ଜନଜୀବନ ସ୍ୱାଭାବିକ ହୋଇପାରି ନାହିଁ। ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିଲେ ମଧ୍ୟ ବନ୍ୟା ଜଳର ପ୍ରଭାବ ଅବ୍ୟାହତ ରହିଛି। ଆନନ୍ଦପୁର,ଖଡ଼ିପଦା,ସୋହଡ଼ା, କରଦା, ପଧାନି,ମୁସ୍ତଫାପୁର,ଅର୍ଜ୍ଜୁନପୁର,ହସନାବାଦ,ପାଳସାହି, କଟସାହି, ଖପରପଦା,କାଶିମପୁର,କୋଠାର,ଗଡ଼ିଆଳି ଓ ଅସୁରାଳି ପଞ୍ଚାୟତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୩୫ ହଜାରରୁ ଅଧିକ ପଶୁସମ୍ପଦ ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ସେମାନଙ୍କ ପାଇଁ ୩ଟି ପ୍ରାଣୀ ଚିକିତ୍ସା ଦଳ ନିୟୋଜିତ କରାଯାଇଛି।ବନ୍ୟା ଜଳ କମିଥିଲେ ମଧ୍ୟ ଅନେକ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଖଡ଼ିପଦା-ଆନନ୍ଦପୁର, ଦୋବଲ-ଷେଣ୍ଢପୁର,ବେଦପୁର-ସୋହଡ଼ା, ୟମଙ୍ଗଳପୁର-କଟସାହି ଏବଂ ଧାମନଗର-କୋଠାର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଧାମନଗର-ଫଳପୁର ରାସ୍ତା ବୁଡ଼ି ରହିଥିବାରୁ ଦଳାଙ୍ଗ ଓ ନଦୀଗାଁ ପଞ୍ଚାୟତ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି।ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ତଳିଆ ଅଞ୍ଚଳରୁ ୧୫ ହଜାର ୪୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନ ଏବଂ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗତ ୩ ଦିନ ଧରି ୧୪୦ଟି ରିଲିଫ୍ କେନ୍ଦ୍ରରେ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଛି। ଏହାସହ ୯୩ କ୍ୱିଣ୍ଟାଲ ଚୁଡ଼ା,୧୦ କ୍ୱିଣ୍ଟାଲ ଚିନି ଓ ଗୁଡ଼ ସମେତ ବିସ୍କୁଟ ଓ ପିଇବା ପାଣି ବିପନ୍ନଙ୍କ ପାଖରେ ପହଞ୍ଚାଯାଇଛି। ବନ୍ୟା ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୪୦ ହଜାର ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଚାଷୀଙ୍କ ମୁଣ୍ଡରେ ଏବେ ଚାଷ କ୍ଷତିର ଚିନ୍ତା ଘାରିଛି।ବନ୍ୟା ପାଣି ଧୀରେ ଧୀରେ କମୁଥିଲେ ମଧ୍ୟ ଧାମନଗରରେ ଦୁର୍ଦ୍ଦଶା କମିନାହିଁ। ଅନେକ ଗାଁ ଏବେ ବି ଜଳବନ୍ଦୀ ଥିବାବେଳେ ପାନୀୟ ଜଳ,ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ହେବା ପାଇଁ ଲୋକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ।ବନ୍ୟା ଘେରରେ ଥିବା ଭଟସାହି ପଞ୍ଚାୟତ ଅଧିନ ଫଳପୁର ଗ୍ରାମରୁ ଦୁଇ ଜଣ ଗର୍ଭବତୀ ମହିଳା ଏବଂ ଦୋବଲ ପଞ୍ଚାୟତରୁ ଜଣେ ଗର୍ଭବତୀ ୩ଜଣ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିବା ବେଳେ ସୂଚନା ପାଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡା.ମନମୟ ସାମନ୍ତସିଂହାର ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଜଣେ ଚାଷୀ ତ୍ରିଲୋଚନ ସାହୁ ଦୀର୍ଘ ସମୟ ଧରି ତାଳଗଛ ଉପରେ ବସି ନିଜ ପରିବାରର ମୁହଁକୁ ମନେ ପକାଉଥିଲେ। ଓଡ୍ରାଫ୍ ଟିମ୍‌ ଓ ପୋଲିସର ମିଳିତ ଭାବେ ଉଦ୍ଧାର କରିଛନ୍ତି।ମୃତ୍ୟୁର ମୁହଁରୁ ଫେରିଲା ପରେ ପରିବାରରଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା। ସ୍ୱାସ୍ଥ୍ୟ ବିଭାଗ ଓଡ୍ରାଫ୍ ଟିମ୍ ପୋଲିସ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ସମନ୍ୱିତ ପ୍ରୟାସ ପ୍ରଶଂସନୀୟ ବୋଲି ସାଧାରଣରେ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ