ବନ୍ୟା ମୁକାବିଲା ବିଫଳ : ବିଜେଡିର ସାମ୍ବାଦିକ ସମ୍ମିଳନୀକୁ ବିଜେପିର ସମାଲୋଚନା

ଧାମନଗର (ଓ୍ବାଇଏନଏସ): ଚଳିତ ବର୍ଷ ଧାମନଗର ଅଞ୍ଚଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ମୁକାବିଲା ବିଫଳତାକୁ ନେଇ ବିରୋଧୀ ଦଳ ବିଜେଡି ତରଫରୁ କରିଥିବା ସାମ୍ବାଦିକ ସମ୍ମିଳନୀକୁ ଶାସକ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘କୁମ୍ଭୀର କାନ୍ଦଣା’ କାନ୍ଦୁଛନ୍ତି ବୋଲି ସମାଲୋଚନା କରାଯାଇଛି।ଧାମନଗର ଜଜଳସେଚନ ବିଭାଗ ଡାକବଙ୍ଗଳା ପରିସରରେ ବିଧାୟକ ତଥା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଂପାଦକ ଅରବିନ୍ଦ ପତି ଯୋଗ ଦେଇ ସ୍ପଷ୍ଟ ଭାବେ କହିଛନ୍ତି ଯେ,ବିଜେଡି ବନ୍ୟା ଭଳି ଏକ ସଂବେଦନଶୀଳ ମୁହୂର୍ତ୍ତରେ ଅଯଥା ରାଜନୀତି କରୁଛି। ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି ଧାମନଗରକୁ ବନ୍ୟାମୁକ୍ତ କରିବା ପାଇଁ କୌଣସି ସ୍ଥାୟୀ ପ୍ରତିକାର କରିପାରିନଥିଲା। ପୂର୍ବରୁ ସାମାନ୍ୟ ବର୍ଷାରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ୧୯୯୯ ମହାବାତ୍ୟା ପରେ ଚଳିତ ବର୍ଷ ସବୁଠାରୁ ବଡ଼ ବନ୍ୟା ଦେଖିବାକୁ ମିଳିଛି। ଆଖୁଆପଦାଠାରେ ବୈତରଣୀ ନଦୀର ଜଳପତ୍ତନ ସର୍ବାଧିକ ୨୦.୪୬ ମିଟରରେ ପହଞ୍ଚିଥିଲେ ହେଁ,ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଦିନରାତି ବନ୍ୟା ମୁକାବିଲାରେ ନିୟୋଜିତ ଅଛନ୍ତି। ବନ୍ୟା ଆସିବା ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ଜରୁରୀ ପ୍ରସ୍ତୁତି ବୈଠକ ଡାକିଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଉକ୍ତ ପ୍ରସ୍ତୁତି ବୈଠକକୁ ବିଜୁ ଜନତା ଦଳ ବ୍ଲକ ସଭାପତି ପ୍ରତାପ ସାମଲ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକଙ୍କ ସମେତ ଅନ୍ୟ ନେତାମାନଙ୍କୁ ଆନ୍ତରିକତାର ସହ ମନ୍ତ୍ରୀଙ୍କ ଅଫିସରୁ ନିମନ୍ତ୍ରଣ କରିଥିଲେ। ହେଲେ ସେମାନେ ଏହି ବୈଠକରେ ଯୋଗ ଦେଲେ ନାହିଁ। ଏହାସତ୍ତ୍ୱେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବନ୍ୟା ମୁକାବିଲାର ପ୍ରତ୍ୟେକଟି ଦିଗ ପ୍ରତି କଡ଼ା ନଜର ରଖିଛନ୍ତି। ବିଗତ ତିନି ଦିନ ମଧ୍ୟରେ ସମୁଦାୟ ୩୫ଟି ସାହସିକ ରେସକ୍ୟୁ ଅପରେସନ କରାଯାଇ ୫୬ ଜଣଙ୍କୁ ଜଳବନ୍ଦୀ ଅବସ୍ଥାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୧୫ଟି ଅତ୍ୟନ୍ତ ଜରୁରୀ ବା କ୍ରିଟିକାଲ ରେସକ୍ୟୁ ଅପରେସନ ଜରିଆରେ ୧୯ ଜଣଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିଛି। ଧାମନଗର ଏନ୍ଏସିର ୯ଟା ୱାର୍ଡ ସମେତ ଦଶନ୍ଧିକୁଳ,ଦାସପାରୀ,ଦଳାଙ୍ଗ,କଣ୍ଟାପାରୀ ଓ ଗୋହିରାଟିକିରି ଭଳି ସମ୍ପୂର୍ଣ୍ଣ ଜଳମଗ୍ନ ଅଞ୍ଚଳରେ ଘର ଛାତ ଉପରେ ଫସି ରହିଥିବା ଅନେକ ପରିବାର ଓ ସାହାଯ୍ୟହୀନ ଶିଶୁଙ୍କୁ ଅଗ୍ନିଶମ ବାହିନୀ ଓ ତହସିଲ୍ ବୋଟ୍ ଯୋଗେ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଦୋବଲ ଅଞ୍ଚଳର ସବିନା ଖାତୁନ୍ ଓ ଫଳପୁର ଅଞ୍ଚଳର ଛବିଲତା ସେଠୀ ଦୁଇଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ବନ୍ୟାଞ୍ଚଳରୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ନଦୀଗାଁର ତ୍ରିଲୋଚନ ସାହୁ ନାମକ ଜଣେ ବୃଦ୍ଧ ପ୍ରବଳ ବନ୍ୟାସ୍ରୋତରେ ଭାସିଯାଉଥିବା ବେଳେ ଗୋଟିଏ ଗଛକୁ ଜାବୁଡ଼ି ଧରି ରାତିସାରା ରହିଥିଲେ, ଯାହାଙ୍କୁ ଭୋର ସମୟରେ ଓଡ୍ରାଫ୍ ଟିମ୍ ସୁରକ୍ଷିତ ଉଦ୍ଧାର କରି ପରିବାର ସହ ମିଶାଇଛି। ଅପରପକ୍ଷରେ ଭଗତପୁରର କାଦମ୍ବିନୀ ଧଳ,ଧୂଷୁରୀ ଅଞ୍ଚଳର ରଞ୍ଜନ କୁମାର ସାହୁ ସର୍ପାଘାତର ଶିକାର ହୋଇଥିବା ବେଳେ ରାତି ୧୦ଟାରେ ବିପଦପୂର୍ଣ୍ଣ ଅବସ୍ଥାରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସେମାନଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ। ଗୋଠିଣାରେ ଜଣେ ହାତ ଭଙ୍ଗା ରୋଗୀ ସାଇ ଶମ୍ଭୁ ରାଉତଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମୁଦାୟ ୭ଟି ODRAF ଓ NDRF ଟିମ୍, ୨ଟି ଦମକଳ ଟିମ୍ ଏବଂ SRC ବୋଟ୍ ସମୂହ ଦିନରାତି କାର୍ଯ୍ୟରତ ଅଛନ୍ତି। ସେଣ୍ଟ୍ରାଲ୍ RDCଙ୍କ ସମେତ ୩ ଜଣ ବରିଷ୍ଠ IAS ଅଧିକାରୀ ଧାମନଗରରେ ଉପସ୍ଥିତ ରହି ବନ୍ୟା ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଛନ୍ତି। ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ୱରରୁ ଗୋଟିଏ ବିଶେଷଜ୍ଞ ମେଡିକାଲ ଟିମ୍ ଆସିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ସାପ କାମୁଡ଼ା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ପର୍ଯ୍ୟାପ୍ତ ଔଷଧ ବଣ୍ଟନ ହେଉଛି। ପାନୀୟ ଜଳ ପାଇଁ RWSS ଟିମ୍, ୨ଟି ମୋବାଇଲ୍ ଡ୍ରିଙ୍କିଙ୍ଗ ୱାଟର ୟୁନିଟ୍ ଭେଇକିଲ୍, ୭୦ ହଜାର ପାଣି ବୋତଲ ଓ ୭ଟି ଭ୍ରାମ୍ୟମାଣ ପାଣି ଟାଙ୍କି ନିୟୋଜିତ କରାଯାଇଛି। ଏଥିସହିତ ପ୍ରଭାବିତଙ୍କୁ ପାଲ ବଣ୍ଟନ ସହ ମଗାଯାଇଥିବା ୧୨୩ ମେଟ୍ରିକ ଟନ୍ ଗୋଖାଦ୍ୟରୁ ୭୮ ମେଟ୍ରିକ ଟନ୍ ଗୋଖାଦ୍ୟ ବଣ୍ଟାଯାଇସାରିଛି।
ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସର୍ବାଧିକ ବନ୍ୟା ହୋଇଥିବା ବେଳେ ୨୯ କିଲୋମିଟରରୁ ଅଧିକ ନଦୀବନ୍ଧ ଉପରେ ପାଣି ପ୍ରବାହିତ ହୋଇଥିଲା। ଏତେ ବଡ଼ ବନ୍ୟା ସତ୍ତ୍ୱେ ଜଳସେଚନ ବିଭାଗ ଓ ପ୍ରଶାସନର ସଜାଗତା ଯୋଗୁଁ ଗୋଟିଏ ବି ଘାଇ ହୋଇନାହିଁ ଏବଂ ୪୦ରୁ ଉର୍ଦ୍ଧ୍ୱ ଘଳିଆ ସଫଳତାର ସହ ମରାମତି କରାଯାଇପାରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦଙ୍କ ବ୍ଲକ ଏବଂ ନଗର ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ସରୋଜ ମହାପାତ୍ର,ବିଜେପି ନେତା ଚତୁରଭୁଜ ନାୟକ,ଦୀପ୍ତି ରଞ୍ଜନ ଜେନା,କିଶୋର ଚନ୍ଦ୍ର ଦାସ,ବିଜେପିର ଗଣମାଧ୍ୟମ ସଂଯୋଜକ ବୈକୁଣ୍ଠନାଥ ସାହୁ,ପ୍ରଶାନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ମନ୍ତ୍ରୀ ଙ୍କ ନଗର ପ୍ରତିନିଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ